ରାଉରକେଲା:ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସଆଇ ଅଲିସ ଲୁଗୁନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବିରେ ଆଜି ସୁନ୍ଦରଗଡ ବନ୍ଦ । ବିଜେପି ମହିଳା ମୋର୍ଚ୍ଚା ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଫଳରେ ଜିଲ୍ଲାରେ ଗାଡିମୋଟର ଚଳାଚଳ, ଦୋକାନ ବଜାର ଏବଂ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସବୁ ବନ୍ଦ ରହିଛି । ମାତ୍ର ବନ୍ଦ ପାଳନରୁ ସମସ୍ତ ଜରୁରୀକାଳୀନ ସେବା ଯଥା ଔଷଧ ଦୋକାନ, ଡାକ୍ତରଖାନା, ଆମ୍ବୁଲାନ୍ସ ସେବା, ଜଳ ଓ ବିଦ୍ୟୁତ ସେବା ଇତ୍ୟାଦି ବାଦ୍ ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ପାଇଁ ମହିଳା ମୋର୍ଚ୍ଚା ଜନସାଧରଣଙ୍କୁ ଅପିଲ କରିଥିବା ବେଳେ ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳୁଛି ।
ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁକୁ ଅନେକ ଦିନ ବିତି ଯାଇଥିଲେ ହେଁ ଏହା ଉପରୁ ପରଦା ହଟି ପାରୁନି । ତେଣୁ ସୁସ୍ମିତା ମିଞ୍ଜଙ୍କ ସହ ଏଏସଆଇ ଲୁଗୁନଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ସହିତ ନିରପେକ୍ଷ ତଦନ୍ତ ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଏହି ପରିପ୍ରେକ୍ଷୀରେ ଆଜି ରାଜନୈତିକ ଓ ସାମାଜିକ ଗୋଷ୍ଠୀଙ୍କ ସହ ସ୍ଥାନୀୟ ବାସିନ୍ଦାମାନେ ଏକାଠି ହୋଇ ମୃତ ଏଏସଆଇ ଓ ସହକାରୀ ଜିଲ୍ଲାପାଳଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି । ରାଉରକେଲା ସହର ସମେତ ସୁନ୍ଦରଗଡ଼, କୋଇଡା, ବଣାଇ, ହେମଗିରି, ବିଶ୍ରା, ଲାଠିକଟା ଅଞ୍ଚଳରେ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।