ସୁବର୍ଣ୍ଣପୁର: ଦୀର୍ଘ ୧୬ ମାସ ଧରି କାମ ନ ପାଇ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଶ୍ରମିକ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ବାଲାଜୀ ଗଣପତି ସୂତାକଳର ଶ୍ରମିକ ଓ କର୍ମଚାରୀମାନେ କାମ ନପାଇ ହାତ ଉପରେ ହାତ ଦେଇ ବସି ରହିଛନ୍ତି । ସେପଟେ ସୂତାମିଲ କର୍ତ୍ତୃପକ୍ଷ ମିଲ କାର୍ଯ୍ୟକ୍ଷମ କରିବାକୁ ଚାହୁଁ ନ ଥିବା ନେଇ ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
କୋରୋନା ମହାମାରୀ ସମୟରେ ଅନେକ ସମୟ ମିଲ ବନ୍ଦ ହୋଇ ପଡି ରହିଥିବାବେଳେ ଗତ ଆଠ ମାସ ହେଲା ଜିଲ୍ଲାର ଏକମାତ୍ର ଶିଳ୍ପ ସୂତାକଳ ଫାଟକରେ ତାଲା ଝୁଲୁଛି । ଜିଲ୍ଲାର ଶ୍ରମିକ ଓ କର୍ମଚାରୀମାନେ ରୋଜଗାର ହରାଇ ଏବେ ଘରେ ବସିଛନ୍ତି । ମିଲ କାର୍ଯ୍ୟକ୍ଷମ କରିବା ସହିତ ଶ୍ରମିକଙ୍କ ଦାବି ପୂରଣ ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ଜିଲ୍ଲାପାଳ ପୂର୍ବରୁ ହସ୍ତକ୍ଷେପ କରିଥିଲେ ।
ଏନେଇ ଶ୍ରମିକ ସଙ୍ଘ ଓ ସୂତାକଳ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ମଧ୍ୟ ହୋଇଥିଲା । ତେବେ ଚୁକ୍ତି ଅନୁଯାୟୀ ମିଲ କର୍ତ୍ତୃପକ୍ଷ ଶ୍ରମିକ ସଙ୍ଘର ଦାବି ପୂରଣ କରିବା ସହିତ ଗତ ଜୁଲାଇ ଶେଷ ସୁଦ୍ଧା ସୂତାମିଲ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରମିକ ସଙ୍ଘକୁ ପ୍ରତିଶୃତି ଦେଇଥିଲେ । ହେଲେ ସୂତାମିଲ କର୍ତ୍ତୃପକ୍ଷ ନାଁ ସୂତାମିଲ କାର୍ଯ୍ୟକ୍ଷମ କଲେ ନାଁ ଏ ପର୍ଯ୍ୟନ୍ତ ସଙ୍ଘର ଦାବି ପୂରଣ କରିଛନ୍ତି ବୋଲି ଶ୍ରମିକ ସଙ୍ଘ ପକ୍ଷରୁ ଅଭିଯୋଗ ହୋଇଛି ।