ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ବଢିଚାଲିଛି ଜଳାଶୟ ସମସ୍ୟା । ଶତାଧିକ ବର୍ଷ ଧରି ସୁବର୍ଣ୍ଣପୁର ସହରର ଶୋଷ ମେଣ୍ଟାଉଥିବା ଜଳାଶୟ ସବୁ ରହିଯାଇଛି ପ୍ରଶାସନିକ ଦୃଷ୍ଟି ଆଢୁଆଳରେ । ବହୁ ଅମଳର ଜଳାଶୟ ସବୁ ଦିନକୁ ଦିନ ପଡିଆରେ ରୂପାନ୍ତରିତ ହେଉଛି । କାରଣ ସୁବର୍ଣ୍ଣପୁରରେ ଜନସାଧାରଣଙ୍କ ବ୍ୟବହାର ପାଇଁ ଥିବା ଜଳାଶୟ ସବୁ ଜବରଦଖଲକାରୀଙ୍କ କବଜାରେ । ତେଣୁ ଏନେଇ ବାରମ୍ବାର ପ୍ରଶାସନକୁ ଦାବି ହୋଇଥିବା ସତ୍ତ୍ବେ ପ୍ରଶାସନ ଏନେଇ କର୍ଣ୍ଣଗୋଚର କରୁନଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ସହରର ରାଜା ବଗିଚାରେ ପାଣିର ବ୍ୟବହାର ପାଇଁ 6ଟି ବୃହତ ଜଳାଶୟ ସହିତ ସହରର ଅଷ୍ଟଶମ୍ଭୁଙ୍କ ମନ୍ଦିର ପାଇଁ ଛୋଟ ଛୋଟ ଆଠୋଟି ଜଳାଶୟ ତିଆରି ହୋଇଥିଲା। ଏଥିସହ ଜନସାଧାରଣଙ୍କ ଦୈନନ୍ଦିନ ବ୍ୟବହାର ପାଇଁ ହଜାରେ ଜନସଂଖ୍ୟାରେ ଗୋଟିଏ ବୃହତ ଜଳାଶୟ ତିଆରି ହୋଇଥିଲା । ଏଥିସହ ସହରର ଉଭୟ ପାର୍ଶ୍ବରେ ତେଲନଦୀ ଓ ମହାନଦୀର ସ୍ବଚ୍ଛ ପାଣି ବ୍ୟବହାର କରିବା ସହିତ ଲୋକେ ବର୍ଷା ଦିନରେ ଏହି ଜଳାଶୟ ଉପରେ ନିର୍ଭର କରି ଚଳୁଥିଲେ । ତେବେ ଜଳାଶୟଗୁଡିକର ହୁଡାରେ ଜବରଦଖଲ ବଢି ବଢି ଯାଉଥିବାବେଳେ ଦିନକୁ ଦିନ ଜଳାଶୟ ଗୁଡିକର ହୁଡାରେ ବେଆଇନ ବାସପୋଯୋଗୀ ଘର ଓ ଦୋକାନ ବଢି ଚାଲୁଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ସବୁ ଦେଖି ଶୋଇ ରହିଥିବା ନେଇ ଅଭିଯୋଗ ହୋଇଛି ।
ଏହାଛଡା ସହରର ମଧ୍ୟଭାଗରେ ଥିବା ବିଶ୍ବସାଗର ଜଳାଶୟର ଉନ୍ନତିକରଣ କରିବା ସହିତ ଆଧୁନିକ ଜଳକ୍ରୀଡା ପାଇଁ ବ୍ୟବହାର କରିବାକୁ ଦୀର୍ଘ ଦିନରୁ ପ୍ରଶାସନ ପାଖରେ ସହରବାସୀ ଦାବି କରିଆସୁଛନ୍ତି । ଏଥିସହ ଦେବାଦେବୀଙ୍କ ଉଦ୍ଦେଶ୍ୟରେ ଥିବା ଜଳାଶୟ ଗୁଡିକର ପଙ୍କୋଦ୍ଧାର କରିବା ସହିତ ସୁରକ୍ଷା ଦେବାକୁ ସହରବାସୀ ଦାବି ଜଣାଇ ଆସୁଛନ୍ତି ।