ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ମହାମାରୀକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି। ଜିଲ୍ଲାରେ ଲକଡାଉନ, ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି। ଏଭଳି ସମୟରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ବେଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ମହମାରୀକୁ ନେଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି।
ତେବେ ଜିଲ୍ଲାର ସିନ୍ଦୁରପୁର ଗାଁରେ ସ୍ବେଛାସେବୀ ଦେବଦତ୍ତ ପଣ୍ଡା ଏକ ନିଆରା ଢଙ୍ଗରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି। ମାସ୍କ ବ୍ୟବହାର କରିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା, ଜରୁରୀ କାର୍ଯ୍ୟ ନ ଥିଲେ ଘରେ ରହିବା ତଥା ଟୀକା ନେବା ଆଦି ବିଷୟ ଉପରେ ଏକ ଗୀତ ଲେଖି ନିଜେ ଗୀତ ଗାଇ ସଚେତନତା ସୃଷ୍ଟି କରୁଛନ୍ତି । ଏପରିକି ଏହି କାର୍ଯ୍ୟକ୍ରମ ଭିତରେ ଲୋକଙ୍କୁ ମାସ୍କ ବଣ୍ଟନ କରୁଛନ୍ତି।