ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ ବିଦ୍ୟୁତ ଆବଶ୍ୟକତା ବଢ଼ିବାରେ ଲାଗିଛି । ଆଉ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଜିଲ୍ଲାର ତିନୋଟି ଯାଗାରେ ନୂତନ ଗ୍ରୀଡ଼ ନିର୍ମାଣ ଚାଲିଛି । ଜିଲ୍ଲାର ସିଂଢୋଲ ,ନାରାୟଣପୁର ଓ ବିରାମହରାଜପୁରରେ ଏହି ଗ୍ରୀଡ଼ ତିଆରି ଚାଲିଛି । ତେବେ ଗ୍ରୀଡ଼ ତିଆରିରେ ବ୍ୟବହାର ହେଉଥିବା ଅନେକ ବିଦ୍ୟୁତ ସାମଗ୍ରୀ ଅନେକ ସମୟରେ ଚୋରୀ ହେଉଛି ।
ଚୋରି ହେଉଛି ବିଦ୍ୟୁତ ଉପକରଣ: ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ଏହି ଚୋରି ରୋକିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ଫଳରେ ଗ୍ରୀଡ଼ କାର୍ଯ୍ୟ ବିଳମ୍ବ ହେଉଛି । ବିଦ୍ୟୁତ ଉପକରଣ ଗୁଡ଼ିକରେ ବିଦ୍ୟୁତ ପ୍ରବାହିତ ହେଉନଥିବାରୁ ଚୋରମାନେ ଅନାୟାସରେ ବିଦ୍ୟୁତ ଉପକରଣ ଚୋରି କରି ନେଉଛନ୍ତି ।
ନିକଟରେ ମାଟୁପାଲି ଗାଁରୁ ଚୋର ଦଳ ବିଦ୍ୟୁତ ଖୁଣ୍ଟ କାଟି ନେଇ ଯାଉଥିବା ବେଳେ ଗାଁ ଲୋକେ ଜଣେ ଅଭିଯୁକ୍ତକୁ କାବୁ କରି ପୋଲିସରେ ଜିମା ଦେବା ସହିତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ବିଦ୍ୟୁତ ଉପକରଣ ବାରମ୍ବାର ଚୋରି ହେଉଥିବା ବେଳେ ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିବାରୁ ଗ୍ରୀଡ଼ କାର୍ଯ୍ୟ ବେଶ ବିଳମ୍ବ ହେଉଥିବା ବେଳେ ଜନସାଧାରଣ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ଆଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅପରପକ୍ଷରେ ପ୍ରଶାସନ ଏ ଦିଗରେ ଯତ୍ନବାନ ଥିବା ବେଳେ କୌଣସି ବି ବିଭାଗୀୟ ଚୋରି ଉପରେ ସମ୍ପୃକ୍ତ ବିଭାଗ ଏଫଆଇଆର ଦେବାକୁ କୁହାଯାଇଛି । ଚୋରିର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପୋଲିସ ସବୁ ସମୟରେ ଯତ୍ନବାନ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ