ସୁବର୍ଣ୍ଣପୁର: ତନ୍ତ୍ର ପୀଠ ଭାବେ ପରିଚିତ ସୁବର୍ଣ୍ଣପୁର । ଏଠାରେ କାହିଁ କେଉଁ କାଳରୁ ତାନ୍ତ୍ରିକ ପଦ୍ଧତିରେ ପାଳିତ ହୋଇ ଆସୁଛି ବଳି ଯାତ୍ରା । ଯେଉଁଥିରେ ଘଟିଥାଏ ଆଶ୍ଚର୍ଯ୍ୟକର ଘଟଣାମାନ । ବଳି ଯାତ୍ରାରେ ମଣିଷ ଦେହରେ ଦୈବୀଶକ୍ତି ପ୍ରକଟିତ କରିବା ପାଇଁ ବ୍ୟବହାର ହୋଇଥାଏ ଏକ ପ୍ରକାରର ଅଲୌକିକ ତନ୍ତ୍ର ମାଟି । ବରୁଆର ନାଭି ମଣ୍ଡଳରେ ଏହି ତନ୍ତ୍ରମାଟିର ପ୍ରୟୋଗରେ ବଳି ଦେହରେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ।
ରାଜପୁରୋହିତ ନିଶାର୍ଦ୍ଧରେ ପୂଜା ଆରଧନା କରି ଦୁଇଟି ମାଟି କୁଣ୍ଡରେ ନିରୋଳାରେ ତନ୍ତ୍ରମାଟିକୁ ଆବାହନ କରି ଆଣିଥାନ୍ତି । ଜନଶୃତି ଓ କିମ୍ବଦନ୍ତୀ କୁହେ ,ବୀର ପର୍ଶୁରାମ ଦେବୀ ମା ସୁରେଶ୍ବରୀଙ୍କ ମନ୍ଦିରରେ ଆରାଧନା କରି ଯଜ୍ଞ କରିଥିଲେ । ଦେବୀ ମାଙ୍କୁ ଆରାଧନା କରି ଯଜ୍ଞକୁଣ୍ଡ ନିକଟସ୍ଥ ମଣ୍ଡପରେ ପ୍ରତିଷ୍ଠା କରିଥିଲେ । ସେହି ଯଜ୍ଞ କୁଣ୍ଡର ମାଟି ତନ୍ତ୍ର ମାଟି ଭାବେ ପରିଚିତ । ଆଉ ଏହି ଯଜ୍ଞ କୁଣ୍ଡରେ ଥିବା ତନ୍ତ୍ର ମାଟିକୁ ଗଡଜାତର ଐତିହାସିକ ବଳି ଯାତ୍ରାରେ ପ୍ରୟୋଗ କରାଯାଉଥିବା ଦେଖିବାକୁ ମିଳେ ।
ରାଜପୁରୋହିତ ବଳି ଯାତ୍ରା ସମୟରେ ଏହି ମାଟି ଆଣି ବରୁଆର ନାଭି ମଣ୍ଡଳରେ ଦେଇ ଅରୁଆ ଚାଉଳର ଯନ୍ତ୍ର ଉପରେ ବଳିକୁ ଶୁଆଇ ଦିଅନ୍ତି । ବରୁଆ ଉପରେ ମନ୍ତ୍ରପୂତ ଅରୁଆ ଚାଉଳକୁ ସିଞ୍ଚନ କଲେ ଦୈବୀଶକ୍ତି ପ୍ରକଟିତ ହୋଇଥାଏ ଓ ଶ୍ରଦ୍ଧାଳୁମାନେ ମାନବ ଶରୀରରେ ଦେବୀଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରିଥାନ୍ତି । ଆଉ ଏସବୁ ସମ୍ଭବ ହୋଇଥାଏ କେବଳ ତନ୍ତ୍ର ମାଟିର ପ୍ରୟୋଗରେ ।