ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆସି ପାରୁନାହିଁ । ସତେ ଯେପରି ସ୍ବଚ୍ଚ ଭାରତ ମିଶନ ସମ୍ପୂର୍ଣ୍ଣ ଫେଲ ମାରିଛି । ସହର ସାରା କୁଢକୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି । ଏପରିକି ଗଳିଗଳିରେ ସଫା କରାଯାଉଥିବା ଡ୍ରେନର ମଇଳା ସବୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡି ଦିଆଯାଉଥିବାରୁ ଆବର୍ଜନାରୁ ଗନ୍ଧ ସୃଷ୍ଟି ହେଉଛି । ଓଦା ଅଳିଆ ଓ ଆବର୍ଜନା ସବୁ ତୁରନ୍ତ ସଫା କରାଯାଉ ନଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ପୌର ପ୍ରଶାସନର ଅବହେଳା ମନୋଭାବ ଯୋଗୁଁ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡି଼ଥିବା ଜନସାଧାରଣ ଅଭିଯୋଗ କରିଛନ୍ତି ।
ଗତ ଜାନୁଆରୀ ମାସରୁ ସଦର ପୌର ପରିଷଦର କର୍ମଚାରୀମାନେ ପରିମଳ ବ୍ୟବସ୍ଥା ନିଜେ ତଦାରଖ କରୁଛନ୍ତି । ପୂର୍ବରୁ ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ବକୁ ଘରୋଇକରଣ କରାଯାଇଥିଲା । 115 ଜଣ ସଫେଇ କର୍ମଚାରୀ ସମ୍ପୂର୍ଣ୍ଣ ସହରର ପରିମଳ ବ୍ୟବସ୍ଥାରେ ନିୟୋଜିତ ଥିଲେ । ହେଲେ ଗତ ତିନିମାସ ହେଲା ସଫେଇ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇ ପାରି ନଥିବାରୁ ଏବେ ସଦର ପୌର ପରିଷଦ 80 ଜଣ ସଫେଇ କର୍ମଚାରୀଙ୍କୁ ଦିନ ମଜୁରିଆ ଭାବେ ନିଯୁକ୍ତି ଦେଇ ସଫେଇ କାର୍ଯ୍ୟ ଜାରି ରଖିଛି । ସହରରେ ଅନ୍ୟୁନ୍ୟ 150 ଜଣ ସଫେଇ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଆବଶ୍ୟକତାରୁ 54 ପ୍ରତିଶତ କମ କର୍ମଚାରୀଙ୍କୁ ନେଇ ସଫେଇ କାର୍ଯ୍ୟ ଚାଲିଛି । ଫଳରେ ସହରରେ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଦୀର୍ଘ ଦିନ ଯାଏ ପଡି ରହୁଛି ।