ସୁବର୍ଣ୍ଣପୁର: ସପ୍ତପୁରୀ ଅମାବାସ୍ୟା ଉପଲକ୍ଷେ ସହରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ପାଳନ ହେବ ବିଶ୍ବ ପ୍ରସିଦ୍ଧ ଲଙ୍କାପୋଡି ଉତ୍ସବ । ଦିନ ବେଳା କୁନି କୁନି ଝିଅମାନେ କୁଢିକାଞ୍ଚି ନେଇ ଖେଳିବେ ତ ସନ୍ଧ୍ୟାରେ ଜମିବ ପୁଅମାନଙ୍କର ଲଙ୍କାପୋଡା ପର୍ବ । ହନୁମାନଙ୍କର ଲାଞ୍ଜରେ ନିଆଁ ଲଗାଇ ପାଳନ ହେବ ପର୍ବ । ଏନେଇ ଉତ୍ସବମୁଖର ହୋଇ ଉଠିଛି ସୁବର୍ଣ୍ଣପୁର ସହର ।
କିମ୍ବଦନ୍ତୀ ଅନୁଯାୟୀ ପ୍ରାଚୀନ କାଳର ହନୁମାନଙ୍କ ଲଙ୍କାପୋଡାକୁ ମନେ ପକାଇ ଏଠାରେ ପାଳନ କରାଯାଏ ଲଙ୍କାପୋଡା ପର୍ବ । ତେବେ ଏହି ପର୍ବ ପାଇଁ ଜିଲ୍ଲା ଲଙ୍କାପୋଡି ମହୋତ୍ସବ କମିଟି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଟେରାକୋଟା ହନୁମାନ ପ୍ରତିଯୋଗିତା ପାଇଁ ମଧ୍ୟ ସଦର ମହକୁମା ଟାଉନ ହଲରେ ପ୍ରତିଯୋଗୀମାନଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।