ସୁବର୍ଣ୍ଣପୁର:ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ସ୍ଥାନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସଂଗଠନ ପକ୍ଷରୁ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଚଳିତ ରବି ଋତୁ ଧାନକ୍ରୟରେ ଅବ୍ୟବସ୍ଥା ହେଉଥିବା ଉପରେ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି ।
ଚଳିତ ରବି ଋତୁ ଧାନ କିଣା ପ୍ରକ୍ରିୟାରେ ଜିଲ୍ଲାର କୃଷକ ସଂଗଠନକୁ ଅଣଦେଖା କରିବା ସହିତ ବିଭିନ୍ନ ଆଳ ଦେଖାଇ ଧାନ କ୍ବିଣ୍ଟାଲ ପ୍ରତି ୪ରୁ ୫ କେଜି କଟନୀ ଛଟନୀ କରୁଥିବା ଅଭିଯୋଗ କରିଛନ୍ତି । ଏପରିକି ରବି ଋତୁ ଧାନ କିଣା ପ୍ରକ୍ରିୟା 24 ଦିନ ପାଇଁ ଥିବା ବେଳେ ଏହାକୁ ଵୃଦ୍ଧି କରିବା, ପଞ୍ଜୀକୃତ କରିଥିବା ଚାଷୀଙ୍କ ଟୋକନ ନ ଆସିଥିଲେ ତାକୁ ଲେପ୍ସ ନ କରିବା, ମଣ୍ଡିଗୁଡିକର ଭିତ୍ତିଭୂମିର ବିକାଶ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିପୂରଣ ଦେବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।