ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଗଣତାନ୍ତ୍ରିକ ଉପାୟରେ ସବୁବେଳେ ବିରୋଧ କରାଯିବ । ସୁଶାନ୍ତ ସିଂ ମନ୍ତ୍ରୀ ପଦବୀରେ ଥିବା ପର୍ଯ୍ୟନ୍ତ ଓ ବିଜେପି ଯେ, କୌଣସି କାର୍ଯ୍ୟକ୍ରମ ପାଇଁ ସୁବର୍ଣ୍ଣପୁର ଆସିଲେ ତାଙ୍କ ଗସ୍ତକୁ ବିଜେପି ପ୍ରତିବାଦ କରିବ । ଏହା ସହିତ କଳାପତାକା ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର (Subarnapur Dist president Pramod Mahapatra) କହିଛନ୍ତି ।
ଆଜି ସହରର କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଶାନ୍ତ ସିଂଙ୍କ ବାଉନସର ଓ ଗୁଣ୍ଡାମାନେ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ନଗର ସଭାପତି ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ କରିଥିବା ଆକ୍ରମଣର ପ୍ରତିବାଦ କରି ନିନ୍ଦା କରିଥିଲା ଜିଲ୍ଲା ବିଜେପି । ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଶୁଭାରମ୍ଭ ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଜିଲ୍ଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସାଧାରଣ ସଭାରେ ଯୋଗ ଦେଇଥିଲେ । ତାଙ୍କୁ ବିଜେପି ନଗର ସଭାପତି ଓ କିଛି କାର୍ଯ୍ୟକର୍ତ୍ତା କଳାପତାକା ଦେଖାଇ ପ୍ରତିବାଦ କରିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସୁଶାନ୍ତ ସିଂଙ୍କ ଗୁଣ୍ଡାମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ମାଡ ମାରିଥିଲେ ।