ସୁବର୍ଣ୍ଣପୁର: ଜିଲ୍ଲା ବୀରମହାରାଜପୁର ଉପଖଣ୍ଡରେ ରହିଛି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ। ପର୍ଯ୍ୟଟନର ସମସ୍ତ ଭିତ୍ତିଭୂମି ରହିଛି କିନ୍ତୁ ନାହିଁ ଉପଯୁକ୍ତ ରାସ୍ତା । ଏହି ପର୍ଯ୍ୟଟନ ସ୍ଥଳର ଭିତ୍ତିଭୂମିର ବିକାଶ ସହିତ ଗମନାଗମନର ସୁବ୍ୟବସ୍ଥା କରିବା ପାଇଁ ଲୋକେ ଦାବି କରିଛନ୍ତି ।
ଦୁଇଟି ବଡ଼ ବଡ଼ ପାହାଡ ପାଦ ଦେଶରେ ତିଆରି ହୋଇଛି ପ୍ରକଳ୍ପ। ବଣ ଜଙ୍ଗଲ ଘେରା ଏହି ଅଞ୍ଚଳରେ ଏହି ପ୍ରକଳ୍ପ ପାର୍ଶ୍ଵରେ ବଣଭୋଜିର ମଜା ନେବାକୁ ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି ଏହି ଡ୍ୟାମକୁ। ପର୍ଯ୍ୟଟନୀୟ ଭିତ୍ତିଭୂମିରେ ଭରପୁର ଏହି ଅଗନା ଅଗନି ଜଙ୍ଗଲ ଭିତରେ ନିଜେ ରୋଷେଇ ବାସ କରି ଖାଇ ପିଇ କିଛି ସମୟ ବିତେଇବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକଙ୍କ ସମାଗମ ହୁଏ। ପୁଣି ନିକଟରେ ପ୍ରାୟ 10 କିଲୋମିଟର ଦୂରରେ ଥିବା ଅନନ୍ୟ ପର୍ଯ୍ୟଟନ ପୀଠ ପାତାଳୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଶାନ୍ତିରେ ପ୍ରକୃତିର କୋଳରେ କିଛି ସମୟ ଅତିବାହିତ କରିବାକୁ କିଏ ବା ନ ଚାହେଁ।