ଓଡିଶା

odisha

ETV Bharat / state

ମନ ମୋହୁଛି ରାମଲୀଳା ଉତ୍ସବ, ସୁମଧୁର ଗୀତି କବିତାରେ ବିମୋହିତ ଦେଖଣାହାରୀ

ସୁବର୍ଣ୍ଣପୁର ଜିଲ୍ଲାର ବଡକର୍ଲେ ଗାଁରେ ଜମୁଛି ରାମଲୀଳା ଉତ୍ସବ । ପାରମ୍ପରିକ ଗୀତିନାଟ୍ୟ ଶୈଳୀରେ ଚରିତ୍ରଙ୍କ ପାତ୍ର ଉପଯୋଗୀ ସଂଳାପରେ ଗଗନ ପବନ ମୁଖରିତ । ଓଡିଆ ସାହିତ୍ୟର ବିଭିନ୍ନ ରାଗରେ ପର୍ଯ୍ୟବେଷିତ ବିଭିନ୍ନ ଚରିତ୍ରଙ୍କ ସୁମଧୂର ଗୀତି କବିତାରେ ବିମୋହିତ ହେଉଛନ୍ତି ଦେଖଣାହାରୀ ।

By

Published : Apr 28, 2019, 10:14 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ଆଧୁନିକତାର ପ୍ରଭାବରେ ଆଜି ବି ମଳିନ ପଡିନାହିଁ ଶ୍ରୀରାମଲୀଳା । ଲୋକେ ଦିନକୁ ଦିନ ଯାତ୍ରା ଓ ମେଲୋଡି ପ୍ରତି ଆକୃଷ୍ଟ ହେଉଥିଲେ ହେଁ ପାରମ୍ପରିକ, ଐତିହାସିକ ଓ ପୌରାଣିକ ନାଟକ ପ୍ରତି ରୁଚି ରଖୁଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବଡକର୍ଲେ ଗାଁରେ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ଆଜକୁ ପ୍ରାୟ 65 ବର୍ଷ ହେଲା ବଡକର୍ଲେ ଗାଁରେ ରାମଲୀଳା ପରିବେଷଣ କରାଯାଉଛି । ଗାଁ ଲୋକେ ଅତି ଉତ୍ସାହର ସହିତ ରାତି ରାତି ଉଜାଗର ରହି ଶ୍ରୀରାମଲୀଳା ଦେଖିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି । ଶ୍ରୀରାମଲୀଳାରେ ଅଭିନୟ କରୁଥିବା କଳାକାରମାନେ ଅତି ନିଷ୍ଠାର ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ପୂଜା ଆରାଧନା କରିବା ସହିତ ଶ୍ରୀରାମ ଲୀଳା ପରିବେଷଣ କରୁଛନ୍ତି।

ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଏହି ଲୀଳାରେ କଳାକାରମାନେ ହବିଷ ପାଳନ କରି ଅତି ନିଷ୍ଠାର ସହିତ ଅଭିନୟ କରୁଛନ୍ତି । ଅରୁଆ ଅନ୍ନବ୍ୟଞ୍ଜନ ଗ୍ରହଣ କରିବା ସହିତ ରାତିରେ ମାଟି ଉପରେ ବିଛଣା ପକାଇ ଶୋଇବା ପରମ୍ପରା ରହିଛି ଗାଁରେ। ଓଡିଆ ଭାଷା ସାହିତ୍ୟରେ ଭରପୁର ଗୀତିନାଟ୍ୟ ଶୈଳୀରେ ଶ୍ରୀରାମଲୀଳା ଦୃଶ୍ୟ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ପାରମ୍ପରିକ ବେଶ ପୋଷାକରେ ସଜ୍ଜିତ ହୋଇ କଳାକାରମାନେ ବେଶ ସୁନ୍ଦର ଅଭିନୟ କରୁଛନ୍ତି ।

ସଦାଶିବ ଭକ୍ତଙ୍କ ଭଣତିରେ ପାଳିତ ହୋଇ ଆସୁଛି ଏହି ଶ୍ରୀରାମଲୀଳା । ପାରମ୍ପରିକ ଗୀତିନାଟ୍ୟ ଶୈଳୀରେ ଚରିତ୍ରମାନଙ୍କ ପାତ୍ର ଉପଯୋଗୀ ସଂଳାପରେ ଗଗନ ପବନ ମୁଖରିତ ହେଉଛି । କରୁଣ, ହାସ୍ୟ, ଶୃଙ୍ଗାର, ବୀର, ଭୟାନକ, ଅଦ୍ଭୁତ, ଶାନ୍ତ ଓ ବାତ୍ସଲ୍ୟ ରସରେ ଭରପୁର ସୁମଧୁର ଗୀତି କବିତାରେ ଦେଖଣାହାରୀ ବାନ୍ଧି ହୋଇ ରହୁଛନ୍ତି ବିଳମ୍ବିତ ରାତିଯାଏଁ । ଓଡିଆ ସାହିତ୍ୟର ବିଭିନ୍ନ ରାଗରେ ପର୍ଯ୍ୟବେଷିତ ବିଭିନ୍ନ ଚରିତ୍ରମାନଙ୍କ ସୁମଧୂର ଗୀତି କବିତାରେ ବିମୋହିତ ହେଉଛନ୍ତି ଦେଖଣାହାରୀ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details