ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ଗୋପପାଲି ଗାଁ । ହୀରାଲାଲଙ୍କ ଜମି । ଏଠି ରହିଛି ଅମୂଲ୍ୟ ସମ୍ପଦ । ଏ ମାଟିରୁ ବାହାରିବ ମୂଲ୍ୟବାନ ହୀରା । ଯିଏ ପାଇବ ହୀରା ତାର । ମିଳିଗଲେ ମାଲେମାଲ । ରାତାରାତି କୋଟିପତି । ଏପରି ଗୁଜବ ଖେଳିଯିବା ପରେ ମାଡି ଆସିଲା ଜନସମୁଦ୍ର । ହୀରା ପାଇଁ କ୍ଷଣିକରେ ଖିନଭିନ କରିଦେଲେ ହୀରାଲାଲଙ୍କ ଜମି । ମୂଲ୍ୟବାନ ହୀରାର ଲୋଭ ଏପରି ଘାରିଥିଲା ଯେ ଜମି ମାଲିକଙ୍କ ବାରଣ କେହି ଶୁଣିବାକୁ ପ୍ରସ୍ତୁତ ନଥିଲେ ।
ପୁରା ଘଟଣା ଥିଲା ଏପରି । ନିଜ ଜମିରେ ଇଟା ଗଢାଉଥିଲେ ହୀରାଲାଲ । ଜଣେ ଶ୍ରମିକ ସେଠୁ ଏକ ମୂଲ୍ୟବାନ ପଥର ପାଇଥିବା ଖବର ଚାରିଆଡେ ଖେଳିଯାଇଥିଲା । ଆଉ ତାପରେ ଏଭଳି ଆଣାୟତ୍ତ ପରିସ୍ଥିତି । ପରିସ୍ଥିତି ଏପରି ହୋଇଛି ଯେ ଘଟଣାସ୍ଥଳକୁ ପୋଲିସ, ରାଜସ୍ବ ବିଭାଗ ଓ ଖଣି ବିଭାଗର କର୍ମଚାରୀକୁ ଯିବାକୁ ପଡିଛି ।