ଓଡିଶା

odisha

ETV Bharat / state

ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀର ମେରୁଦଣ୍ଡ - ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ରବି ଋତୁରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଦେଖାଦେଇଛି । କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷାରେ ଚାଷୀ ଖଳାରେ ରଖିଥିବା ଧାନ ନଷ୍ଟ ହେଉଥିବାବେଳେ ବିକ୍ରି ପାଇଁ ମଣ୍ଡିକୁ ଆଣିଥିବା ଧାନ ବି ନଷ୍ଟ ହୋଇଯାଉଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jun 4, 2019, 6:02 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଚଳିତ ରବି ଋତୁରେ ଧାନ ସଂଗ୍ରହରେ ବ୍ୟାପକ ଅନିୟମିତତା ଦେଖାଦେଇଛି । କାଳବୈଶାଖୀ ପ୍ରଭାବରେ ଅଦିନିଆ ବର୍ଷାରେ ଚାଷୀ ଖଳାରେ ରଖିଥିବା ଧାନ ନଷ୍ଟ ହେଉଥିବାବେଳେ ବିକ୍ରି ପାଇଁ ମଣ୍ଡିକୁ ଆଣିଥିବା ଧାନ ବି ନଷ୍ଟ ହୋଇଯାଉଛି । ଜିଲ୍ଲାର ଉଲୁଣ୍ଡା ବ୍ଲକର ଯାଲୋଏ କୃଷି ସମବାୟ ସମିତି ପରିସରରେ କିଣା ଯାଇଥିବା ରବି ଋତୁର ଧାନ ନଷ୍ଟ ହୋଇଛି । ଏପରିକି ଚାଷୀମାନେ ଟୋକନ ନେଇ ବିକ୍ରି କରିବା ପାଇଁ ଆଣିଥିବା ଧାନ ବି ବର୍ଷାରେ କ୍ଷତି ହୋଇଛି । ସମିତି ପରିସରରୁ ପ୍ରତ୍ୟେକ ଦିନ ଧାନ ଉଠୁନଥିବାରୁ ସମିତି ପରିସରରେ ଗଚ୍ଛିତ ଧାନ ବର୍ଷାରେ ନଷ୍ଟ ହୋଇଛି । ଏପଟେ ଅଦିନିଆ ବର୍ଷାରେ ଅମଳ କରାଯାଇଥିବା ଧାନକୁ ସୁରକ୍ଷା ଦେବା ପାଇଁ କ୍ରୟ କେନ୍ଦ୍ର ତରଫରୁ ଆବଶ୍ୟକ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯାଲୋଏ ପଞ୍ଚାୟର ଚାଷୀମାନେ ବେଶ କ୍ଷତିଗ୍ରସ୍ତ ହୋଇଛନ୍ତି । ରବି ଋତୁରେ ଅମଳ କରିଥିବା ଧାନ କାଳବୈଶାଖୀ ପ୍ରଭାବର ବର୍ଷାରେ ଭିଜିଯାଇ ନଷ୍ଟ ହୋଇଛି । ବିଶେଷ କରି ଧାନକୁ ସୁରକ୍ଷା ଦେବାକୁ ତାରପୋଲିନ ଆଦି ଘୋଡାଇ ନ ରଖିଥିବା ଧାନ ସମ୍ପୂର୍ଣ୍ଣ ଭିଜିଯିବା ଫଳରେ ଧାନ କିଣିବାକୁ ମନା କରୁଛନ୍ତି ମିଲର । ସମିତି ପରିସରରେ ବି ଓଜନ ହୋଇ କିଣା ଯାଇଥିବା ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଜିଲ୍ଲାର ଯାଲୋଏ କୃଷି ସମବାୟ ସମିତିରେ ଦୁଇ ଦିନ ଭିତରେ ପ୍ରାୟ 5 ହଜାର କ୍ବିଣ୍ଟାଲରୁ ଅଧିକ ପରିମାଣର ଧାନ ସିଧାସଳଖ ଚାଷୀଙ୍କ ପାଖରୁ ସଂଗ୍ରହ କରାଯାଇଛି । ସମିତି ପରିସରରେ ଖୋଲା ଆକାଶ ତଳେ ଗଚ୍ଛିତ ଥିବା କିଛି ଧାନକୁ ତାରପୋଲିନ ଘୋଡାଇ ସୁରକ୍ଷିତ ରଖିଥିବାବେଳେ କିଛି ଧାନକୁ ବର୍ଷାରେ ଭିଜିଛି । ସେହିପରି ଟୋକନ ପାଇ ଚାଷୀ ବିକ୍ରୟ କେନ୍ଦ୍ରକୁ ଆଣିଥିବା ଧାନ ଘରକୁ ଫେରାଇ ନେଇଛନ୍ତି । ଅପରପକ୍ଷରେ ଉଭୟ ଚାଷୀ ଓ ସମିତି କର୍ତ୍ତୃପକ୍ଷ ଧାନକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ କହିଛନ୍ତି ।

କେତେବେଳେ ମରୁଡି ତ ପୁଣି କେତେବେଳେ ଅଦିନିଆ ବର୍ଷା । ଏମିତିରେ ବାରମ୍ବାର କ୍ଷତି ସହୁଛି ଚାଷୀ । ହେଲେ କିଛି ବି ସୁଫଳ ମିଳୁନି । ତେବେ ଚାଷୀ ଯେପରି କ୍ଷତି ନସହିବ, ସେ ନେଇ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details