ଓଡିଶା

odisha

ETV Bharat / state

ବର୍ଷାରେ ଗଜା ହେଉଛି ଧାନ, ବେଫିକର ପ୍ରଶାସନ - ସୁବର୍ଣ୍ଣପୁର

ବର୍ଷା ଯୋଗୁଁ କୃଷି ସେବା ସମିତିରେ ଗଜା ହେଉଛି ଧାନ । ମଣ୍ଡି ବନ୍ଦ ହେବା ସହ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ଧାନ ଚାଷୀ ଆଣିଥିବାରୁ ଧାନ ବିକ୍ରି ହୋଇପାରି ନାହିଁ । ଯାହାକୁ ନେଇ ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Jul 2, 2019, 10:16 PM IST

ସୁବର୍ଣ୍ଣପୁର: ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିଥିଲେ ଚାଷୀ । ଆଶା ଥିଲା ଧାନ ବିକ୍ରି ହେବ ଭଲ ଦୁଇ ପଇସା ରୋଜଗାର ହେବ । ହେଲେ ବିଡମ୍ବନାର ବିଷୟ ଧାନ ବିକ୍ରି ହେବା ବଦଳରେ ବର୍ଷାରେ ଗଜା ହେଉଛି । ଫଳରେ ଚିନ୍ତାରେ ପଡିଯାଇଛନ୍ତି ସୁବର୍ଣ୍ଣପୁର ଉଲୁଣ୍ଡା ବ୍ଲକର ଚାଷୀ ।

ବ୍ଲକର ଚାଷୀମାନେ ନିଜ ଉତ୍ପାଦିତ ଧାନ ବିକ୍ରି କରିବା ପାଇଁ ଯାଲୋଏ କୃଷି ସେବା ସମବାୟ ସମିତିକୁ ଆଣିଥିଲେ । ହେଲେ ରବି ଋତୁରେ ନିର୍ଦ୍ଧାରିତ ଧାନ କ୍ରୟ ଶେଷ ହୋଇଥିବା କହି ସମିତି ଆଉ ଚାଷୀଙ୍କ ଠାରୁ ଧାନ କିଣିବାକୁ ମନା କରିଦେଇଥିଲା । ଫଳରେ ଚାଷୀ ସମିତି ପରିସରରେ ବିକ୍ରି ପାଇଁ ଗଚ୍ଛିତ ରଖିଥିବା ଧାନ ବର୍ଷାରେ ନଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସେପଟେ ଜୁନ 30 ତାରିଖ ମଧ୍ୟରେ ନିର୍ଦ୍ଧାରିତ ଧାନ କ୍ରୟ କରିବାକୁ ସମିତି ଗୁଡିକୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେଇଥିଲେ । ହେଲେ ଚାଷୀମାନେ ଅଧିକ ପରିମାଣରେ ଧାନ ବିକ୍ରି କରିବା ପାଇଁ ଆଣିଥିବାରୁ ସମିତି କର୍ତ୍ତୃପକ୍ଷ ଆଉ ଧାନ କିଣି ପାରି ନ ଥିଲେ । ପ୍ରଶାସନ ତରଫରୁ ନିର୍ଦ୍ଦେଶ ମିଳିବା ପରେ ଚାଷୀଙ୍କ ଧାନ କିଣିବେ ବୋଲି କହିଥିଲେ । ହେଲେ ଧାନ ନ କିଣିବାରୁ ଚାଷୀଙ୍କ ଧାନ ଲଗାଣ ଦୁଇ ଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି । ତେଣୁ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଧାନ କିଣିବାକୁ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ରବି ଋତୁ ଧାନ ଗଚ୍ଛିତ ଥିବା ସରକାରଙ୍କୁ ଜଣାଇ ଦେଇଥିବା କହିଛନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ସରକାରଙ୍କ ନିର୍ଦ୍ଦେଶ ଆସିଲେ ଧାନ କ୍ରୟ କରାଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details