ଓଡିଶା

odisha

ETV Bharat / state

ନିୟମକୁ ବେଖାତିର, ପରିବେଶ ପ୍ରଦୂଷଣ କରି ମାଲାମାଲ କୁକୁଡା ଫାର୍ମ ମାଲିକ - problem

ସୁବର୍ଣ୍ଣପୁର ଜିଲ୍ଲାର ଅଇଁଲାଛାଟ ଛକ ପାଖରେ ସରକାରୀ ନିୟମକୁ ଅଣଦେଖା କରି ଏକ କୁକୁଡା ଫାର୍ମ ଚାଲୁଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ଡିଜାଇନ ଫଟୋ

By

Published : Jun 10, 2019, 7:05 PM IST

ସୁବର୍ଣ୍ଣପୁର: ସ୍ବଚ୍ଛ ଓ ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ଉଦ୍ୟମ କରାଯାଉଛି । ଏପରିକି କୃଷି ଭିତ୍ତିକ ଶିଳ୍ପ ହେଲେ ବି ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବେଶ ଗୁରୁତ୍ବ ଦିଆଯାଉଛି । ପ୍ରଦୂଷଣ ବୋର୍ଡ ପକ୍ଷରୁ ପ୍ରମାଣ ପତ୍ର ସଂଗ୍ରହ କରିବା ପରେ କୃଷି ଭିତ୍ତିକ ଫାର୍ମ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଉଛି । ହେଲେ ସରକାରୀ ନୀତି ନିୟମର ଖୋଲାଖୋଲି ଉଲଂଘନ କରାଯାଇ ବିଭିନ୍ନ ଫାର୍ମ ବ୍ୟବସାୟ କରୁଥିବା ଅଭିଯୋଗ ହେଉଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର ଜିଲ୍ଲାର ଅଇଁଲାଛାଟ ଛକ ପାଖରେ ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଏକ କୁକୁଡା ଫାର୍ମ ଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି । ଫାର୍ମରୁ ଦିନକୁ ବାହାରୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ବର୍ଜ୍ୟବସ୍ତୁ । ବର୍ଜ୍ୟବସ୍ତୁର ପରିଚାଳନା ପ୍ରତି ଫାର୍ମ ମାଲିକ ଦେଉ ନାହାନ୍ତି ଗୁରୁତ୍ବ । ଫଳରେ ଦୁର୍ଗନ୍ଧରେ ଘାଣ୍ଟି ହେଉଛନ୍ତି 4ଟି ପଞ୍ଚାୟତର 12 ରୁ ଅଧିକ ଗାଁର ଲୋକେ । ଏପରିକି ଭୟଙ୍କର ଭାବେ ମଶାମାଛିଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ବାୟୁ ଓ ଜଳ ପ୍ରଦୂଷଣ ବଢିବାରେ ଲାଗିଛି । ସରକାରୀ ନୀତିନିୟମର ଉଲଙ୍ଘନ କରି ଲାଭଖୋର ମନୋବୃତ୍ତିରେ କୁକୁଡା ଫାର୍ମ ଚାଲିଛି । ଏପରିକି ଜନସାଧାରଣଙ୍କୁ ନ ଜଣାଇ ଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ କୁକୁଡା ଫାର୍ମ ପାଇଁ ଅନୁମତି ପ୍ରଦାନ କରିଥିବା ଅଭିଯୋଗ ହେଉଛି ।

କୁକୁଡା ଫାର୍ମରୁ ନିର୍ଗତ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ପରିଚାଳନା କରିବା ସହିତ ଫାର୍ମକୁ ସ୍ଥାନାନ୍ତର କରିବା ପାଇଁ ଜନସାଧାରଣ ଅନେକଥର ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । ହେଲେ ଏହା କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details