ସୁବର୍ଣ୍ଣପୁର: ଐତିହାସିକ ସୁବର୍ଣ୍ଣପୁର ସହରରେ ଆଜି ପାଳିତ ହୋଇଛି ଲଙ୍କାପୋଡି ପର୍ବ । ସପ୍ତପୁରୀ ଅମାବାସ୍ୟାର ଘୋର ଅନ୍ଧକାରରେ ଛୋଟ ଛୋଟ ବାଳକମାନେ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରିଥିଲେ । ହନୁମାନଙ୍କ ଲଙ୍କାପୋଡି ସ୍ମୃତିକୁ ମନେ ପକାଇ ସହରବାସୀ ଏହି ପର୍ବ ପାଳନ କରିଥାନ୍ତି ।
ପିଲାମାନେ ପ୍ରଥମେ ହନୁମାନକୁ ଫୁଲ, ଚନ୍ଦନ, ସିନ୍ଦୁର ଲଗାଇ ପୂଜା କରିବା ପରେ ରାଜରାସ୍ତାରେ ତାଙ୍କୁ ଟାଣିଥିଲେ । ଏହାପରେ ଅଭିଭାବକ ମାନେ ହନୁମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇଥିଲେ । ସେହି ନିଆଁରେ କିରୋସିନି ଢାଳି ସହର ପରିକ୍ରମା କରିଥିଲେ । ଏହି ଲଙ୍କାପୋଡି ଉତ୍ସବକୁ ନେଇ ପିଲାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଭାଦ୍ରବ ମାସର ଏହି ଅମାବାସ୍ୟା ତିଥିରେ କାହିଁ କେଉଁ କାଳରୁ ଏଠାରେ ଏହି ଲଙ୍କାପୋଡି ଉତ୍ସବ ପାଳିତ ହୋଇଆସୁଛି ।