ସୁବର୍ଣ୍ଣପୁର: ତହସିଲ ଅଫିସରେ ଚାଲିଛି ଦଲାଲଗିରି, ଅଧିକାରୀ ପାଲଟିଛନ୍ତି ଦଲାଲ । ଦୁର୍ନୀତି ସହ ଚାଲିଛି କଳା କାରନାମା । ଜାଲିଆତି କରି ଜଣଙ୍କ ନାମରେ ଥିବା ରେକର୍ଡ ଜମିକୁ ଅନ୍ୟଜଣଙ୍କ ନାଁରେ କରିବା ପାଇଁ ହେଉଛି ମାଷ୍ଟର ପ୍ଲାନ । ସବୁ ଚାଲରେ ସକ୍ରିୟ ହେଉଛନ୍ତି ଅଧିକାରୀ । ରାତାରାତି କୋଟିକୋଟି ଟଙ୍କାର କଳା କାରବାର ଚାଲୁଛି ତହସିଲ ଛାତତଳେ । ଏମିତି କିଛି ଜମି ଜାଲିଆତିର ସଙ୍ଗୀନ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ ।
ବେଆଇନ ଭାବେ ରାଜସ୍ବ ନୀତିନିୟମର ଉଲଂଘନ କରି ତହସିଲ କର୍ମଚାରୀମାନେ ଜମି ଦୁର୍ନୀତିରେ ଲିପ୍ତ ଥିବା ପ୍ରମାଣିତ ହୋଇଛି । ଅଭିଯୋଗକାରୀଙ୍କ ଲିଖିତ ଏତଲା କ୍ରମେ ଜିଲ୍ଲା ପ୍ରଶାସନର ରାଜସ୍ବ କର୍ମଚାରୀମାନେ ଏହାର ତଦନ୍ତ କରି ଜମି ଦୁର୍ନୀତି କଥାକୁ ସ୍ବୀକାର ମଧ୍ୟ କରିଛନ୍ତି । ହେଲେ ଦୁର୍ନୀତିରେ ଲିପ୍ତ ଥିବା କର୍ମଚାରୀ ଓ ପୂର୍ବତନ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଅଭିଯୋଗ ହୋଇଛି ।
ଘଟଣା କ୍ରମ ଏହିପରି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ନାଏକ ପାଲି ଗାଁରେ ମୃତକ ସ୍ବର୍ଗରୁ ଓହ୍ଲାଇ ଇଚ୍ଛାପତ୍ର ସ୍ବାକ୍ଷର କରୁଥିବା ପ୍ରମାଣ ଏହି ଖବରରୁ ମିଳୁଛି । ଗାଁର ମୈଥିଲୀ ପରମଗୁରୁ 02 ସେପଟେମ୍ବର 1996ରେ ପ୍ରାଣତ୍ୟାଗ କରିଥିଲେ । ହେଲେ ଇଚ୍ଛାପତ୍ରରେ 31 ଡିସେମ୍ବର 1998ରେ ସ୍ବାକ୍ଷର କରିଥିବା ପ୍ରମାଣ ରହିଛି ।
ମୃତକ ମୈଥିଲିଙ୍କ ନାଁରେ ନାଏକ ପାଲି ମୌଜାରେ 11 ଏକର 885 ଡିସିମିଲ ଜମି ଥିଲା । ହେଲେ ମୈଥିଲିଙ୍କ ଭାଇ ନାରାୟଣ ପ୍ରସାଦ ଜମିସବୁ ଜାଲ କାଗଜ ପତ୍ର ତିଆରି କରି ନିଜ ନାଁରେ କରିଥିବା ରେକର୍ଡ ରହିଛି । ଯାହା ରାଜସ୍ବ ଅଧିକାରୀମାନଙ୍କ ନଜରକୁ ଆସିଥିବା ବେଳେ ଏକଥା ପ୍ରମାଣିତ ହୋଇ ସାରିଛି । ସେତେବେଳେ ତହସିଲଦାରଙ୍କ ଠାରୁ ଆରମ୍ଭ କରି ରାଜସ୍ବ ନିରୀକ୍ଷକଙ୍କ ଯାଏଁ ଏହି ଜମି ଦୁର୍ନୀତି ମାମଲାରେ ସଂପୃକ୍ତ ଥିବା ଜଣା ପଡିଛି । ଏବେ ଆନନ୍ଦ ପରମଗୁରୁ ନିଜ ଜମି ପାଇବାକୁ ପ୍ରଶାସନର ବିଭିନ୍ନ ରାଜସ୍ବ ଅଧିକାରୀଙ୍କ ସମେତ ପୋଲିସରେ ଏତାଲା ଦାୟର କରିଛନ୍ତି ।