ସୁବର୍ଣ୍ଣପୁର: ଜିଲ୍ଲାରେ ଥିବା ଏକ ମାତ୍ର ଶିଳ୍ପ ବାଲାଜୀ ଗଣପତି ସ୍ପିନିଂ ମିଲରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀ ଏବେ ହାତ ବାନ୍ଧି ବସିଛନ୍ତି । କୋରୋନା ଯୋଗୁଁ ସ୍ପିନିଂ ମିଲ ପ୍ରାୟ ବନ୍ଦ ହୋଇ ପଡିଛି । ଯେଉଁ ଶିଳ୍ପରେ ଶହ ଶହ ଶ୍ରମିକ ଓ କର୍ମଚାରୀ କାମ କରୁଥିଲେ ଏବେ ତାହା ବନ୍ଦ ଥିବାରୁ ଶ୍ରମିକ ଓ କର୍ମଚାରୀଙ୍କ ଆର୍ଥିକ ଅବସ୍ଥାରେ ଅବନତି ଦେଖା ଦେଇଛି ।
ଫଳରେ ଶ୍ରମିକ ମାନେ ଜୀବିକା ହରେଇ ଘରେ ବସି ରହିଛନ୍ତି । ଦିନ ଥିଲା ହଜ଼ାର ହଜ଼ାର ଶ୍ରମିକ ଏହି ଶିଳ୍ପରେ କାମ କରୁଥିଲେ । ଘରୋଇକରଣ ହେବା ପରେ ସ୍ପିନିଂ ମିଲର ମାତ୍ର 15 ପ୍ରତିଶତ ଶ୍ରମିକ ଓ କର୍ମଚାରୀଙ୍କୁ ନେଇ ଉତ୍ପାଦନ କରାଯାଉଥିଲା । ହେଲେ ଏବେ ମାତ୍ର 20 ରୁ 25 ଜଣ ଶ୍ରମିକ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ତେବେ ସ୍ପିନିଂ ମିଲ କର୍ତ୍ତୃପକ୍ଷଙ୍କ ସହିତ ଜିଲ୍ଲାପାଳ ବୈଠକ କରି ଶ୍ରମିକ ଓ କର୍ମଚାରୀ ମାନଙ୍କୁ କାମ ଯୋଗାଇ ଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ।