ସୁବର୍ଣ୍ଣପୁର: କୋରୋନା ପ୍ରଭାବ ସତ୍ତ୍ବେ ସହରରେ ପାଳିତ ହୋଇଛି ଐତିହାସିକ ଲଙ୍କାପୋଡି ପର୍ବ। ସହରର କୁନି କୁନି ପିଲାମାନେ ପରମ୍ପରାକୁ ରକ୍ଷା କରିବାକୁ ଯାଇ ହନୁମାନର ଲାଙ୍ଗୁଡ଼ରେ ନିଆଁ ଲଗାଇ ଏହି ପର୍ବକୁ ପାଳନ କରିଛନ୍ତି । ପଶ୍ଚିମ ଲଙ୍କା ଭାବେ ପରିଚିତ ଏହି ସହରରେ ହିଁ କେବଳ ଏହି ନିଆରା ପର୍ବ ପାଳନ କରାଯାଏ। ହାତରେ ତିଆରି ବିକୃତ ମୁଖା ହନୁମାନ ଏହି ପର୍ବରେ ବ୍ୟବହାର କରାଯାଏ । ଯାହା ଅନ୍ୟ କୌଣସି ଯାଗାରେ ଦେଖିବାକୁ ମିଳେ ନାହିଁ ।
ପ୍ରତିବର୍ଷ କୁନି କୁନି ପୁଅ ପିଲାମାନେ ଟେରାକୋଟାରେ ତିଆରି ହନୁମାନ କିଣି ତାକୁ ସଜେଇବା ପରେ ପୂଜା କରିଥାନ୍ତି । ସନ୍ଧ୍ୟାରେ ବଡ ଲୋକେ ହନୁମାନ ଲାଙ୍ଗୁଡ଼ରେ କିରାସିନି ଢାଳୁଥିବା ବେଳେ ପିଲାମାନେ ରାଜ ରାସ୍ତାରେ ହନୁମାନ ଟାଣିଥାନ୍ତି । ଅମାବାସ୍ୟାର ଅନ୍ଧକାର ଭିତରେ ଶହ ଶହ ହନୁମାନ ଲାଙ୍ଗୁଡ଼ର ନିଆଁ ସାରା ସହରକୁ ଆଲୋକିତ କରିଥାଏ । ହେଲେ କୋରୋନା କଟକଣା ପାଇଁ ଏଥର ପିଲାମାନଙ୍କ ଭିତରେ ସେତେଟା ଉତ୍ସାହ ନଥିଲା । କାଁ ଭାଁ ପିଲାମାନେ ଘରୁ ହନୁମାନକୁ ବାହାର କରି ଏହି ପର୍ବକୁ ପାଳନ କରିଥିଲେ ।