ସୁବର୍ଣ୍ଣପୁର: ପୁଅଟି ଜନ୍ମ ହେବାର କିଛି ଦିନ ପରେ ପେଟ ଫୁଲିଲା । ପ୍ରାଥମିକ ଚିକିତ୍ସା ପରେ ଜଣା ପଡିଲା ପେଟରେ ଟ୍ୟୁମର ହୋଇଛି । ପୁଅର ଚିକିତ୍ସା ପାଇଁ ଘରେ ଯାହା ଥିଲା, ବାପା ଅଜା ସମ୍ପତ୍ତି ବିକ୍ରି କରି ଟ୍ୟୁମର ଅପରେସନ କଲେ । ହେଲେ ମାସକ ପରେ ଜଣାପଡିଲା ପିଲାଟି ଦୂରାରୋଗ୍ୟ କ୍ୟାନସରରେ ପୀଡିତ । ଏବେ ବାପା ମାଙ୍କ ମୁଣ୍ଡରେ ଯେମିତି ଚଡକ ପଡିଛି । ଘରେ ଦୁଇବେଳା ଖାଇବାକୁ ଦାନା ନଥିବା ବେଳେ ପୁଅର ଚିକିତ୍ସା ପାଇଁ ଅଣ୍ଟିରେ ଧନ କାହିଁ । ହଁ ଆଜ୍ଞା ଆପଣ ଠିକ ପଢୁଛନ୍ତି । ଏମିତି ଦୁଃଖଦ କାହାଣୀ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କେନ୍ଦୁମୁଣ୍ଡା ଗାଁର ସହଦେବ ଦୀପଙ୍କ ପରିବାରର ।
ସହଦେବ ଦୀପଙ୍କ ପୁଅ ସାଇରାଜ ଦୀପ । ବୟସ ମାତ୍ର 4 ବର୍ଷ । ଯେଉଁ ବୟସରେ ପିଲାମାନେ ସାଙ୍ଗସାଥୀ ମେଳରେ ଗାଁ ଦାଣ୍ଡରେ ଧୂଳି ଖେଳିବା କଥା ସେହି ବୟସରେ ମାର କୋଳ ହିଁ ଆଶ୍ରା ପାଲଟିଛି । ପ୍ରାକ ବିଦ୍ୟାଳୟ ଶିକ୍ଷା ଗ୍ରହଣ କରିବାର ମଧ୍ଯ ବୟସ ହୋଇଛି । ହେଲେ ତା ଭାଗ୍ୟକୁ ଏତକ ବି ଜୁଟୁନାହିଁ। ଜନ୍ମରୁ ପିଲାଟି ପେଟରେ ଟ୍ୟୁମର ଦେଖାଦେଇଥିଲା । ଫଳରେ ଆଜିଯାଏଁ ମା କୋଳ ହିଁ ତାର ସାହାରା ପାଲଟିଛି । ସାଇର ବାପା ମା ଘରେ ଯାହା ସଞ୍ଚୟ କରି ରଖିଥିଲେ ପୁଅର ଚିକିତ୍ସାରେ ସବୁ ସାରିଦେଲେଣି । ଘରେ ଯାହାଥିଲା ବିକ୍ରି କରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଅପରେସନ କଲେ । ହେଲେ ଡାକ୍ତରଙ୍କ ପରାମର୍ଶ ମାସକ ପରେ ପୁଣି ଅପରେସନ କରିବାକୁ ହେବ । ଏବେ ଦ୍ଵିତୀୟ ବାର ଅପରେସନ ପାଇଁ ସମ୍ବଳ ନାହିଁ କି ଶକ୍ତି ନାହିଁ ।