ସୁବର୍ଣ୍ଣପୁର :କୃଷି ବହୁଳ ଜିଲ୍ଲା ସୁବର୍ଣ୍ଣପୁର । ଜିଲ୍ଲାର 99 ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ । ଏଥିପାଇଁ ସରକାର ଜଳସେଚନର ସମ୍ଭାବନା ଓ ବିକାଶ ଦିଗରେ ଧ୍ୟାନ ଦେଇ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ଚାଷୀଙ୍କ ପାଇଁ ତିଆରି କରିଛନ୍ତି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ହେଲେ ବିଭାଗୀୟ ଉଦାସୀନତା ଓ ଅବହେଳା ଯୋଗୁଁ ଏହି ପ୍ରକଳ୍ପ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଧୀରେ ଧୀରେ ଦୁରେଇ ଯାଉଛି । କୃଷିର ସୁରକ୍ଷା ପାଇଁ ଚାଷୀ କରୁଥିବା ଚିତ୍କାର ପ୍ରଶାସନ ଓ ସରକାରଙ୍କୁ ଶୁଣାଯାଉ ନାହିଁ । ଫଳରେ ଚାଷୀ ତାର ମୌଳିକ ଅଧିକାରରୁ ବଞ୍ଚିତ ହେଉଛି ।
ଆଜକୁ ପ୍ରାୟ 25 ବର୍ଷ ପୂର୍ବେ ରାଜ୍ୟ ସରକାର ଚାଷୀ ମାନଙ୍କୁ ଉପହାର ସ୍ବରୂପ ଉତ୍ସର୍ଗ କରିଥିଲେ ଏହି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ । ଉଦ୍ଦେଶ୍ୟ ଥିଲା ଚୀର ମରୁଡି ପ୍ରପୀଡ଼ିତ ବିରମହରାଜପୁର ଓ ଉଲୁଣ୍ଡା ବ୍ଲକର ଚାଷଜମିକୁ ଜଳସେଚନ କରିବା । ପ୍ରକଳ୍ପ ଉଦଘାଟନ ପରେ ଉଭୟ ଖରିଫ ଓ ରବି ଋତୁରେ ଉଭୟ ବ୍ଲକର ପ୍ରାୟ 10ଟି ପଞ୍ଚାୟତର ଚାଷ ଜମିକୁ ଜଳସେଚନ କରାଯିବାର ଥିଲା । ହେଲେ ଏବେ ଖରିଫ ଋତୁରେ 9450 ଏକର ଓ ରବି ଋତୁରେ 6450 ଏକର ଆୟକଟ ଏରିଆ ନିର୍ଦ୍ଧାରିତ କରିଥିବା ବେଳେ ଏବେ କିନ୍ତୁ ଆୟକଟ ଅଞ୍ଚଳରେ ପାଣି ମାଡ଼ିପାରୁ ନାହିଁ । ଫଳରେ ବର୍ଷ ତମାମ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଉଛି । ପ୍ରକଳ୍ପ ଓ କେନାଲ ସୁରକ୍ଷା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନଥିବାରୁ ପ୍ରକଳ୍ପ ତାର ଲକ୍ଷ୍ୟ ଓ ଉଦ୍ଦେଶ୍ୟରୁ ଦୂରେଇ ଯାଉଛି । ତେବେ ପ୍ରକଳ୍ପର ରକ୍ଷଣା ବେକ୍ଷଣ ଦିଗରେ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀମାନେ ବେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି ।