ସୁବର୍ଣ୍ଣପୁର: ବିଗତ ତିନି ଦିନ ଧରି ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ନଦୀ ନାଳ ବଢିବା ସହ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଫଳରେ ତରଭା ବ୍ଲକ ଏକପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି । ତେବେ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ପାଖରୁ ପରଖି ଦେଖିଛନ୍ତି ସୋନପୁର ବିଧାୟକ ଓ ଜିଲ୍ଲାପାଳ ।
ସୂଚନା ଅନୁଯାୟୀ ଜିଲ୍ଲାରେ ତିନି ଦିନର ଲଗାଣ ବର୍ଷା ଯୋଗୁଁ ତେଲନଦୀ ଓ ନିବୃତ୍ତି ନଦୀରେ ବଢି ପାଣି ଆସିଛି । ଅନ୍ୟପଟେ ନିବୃତ୍ତି ଓ ସୁକତେଲ ନଦୀର ପାଣି ଯୋଗୁଁ ସୁବର୍ଣ୍ଣପୁର-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ଘାଟ କଇଁତରା ପାଖରେ ପ୍ରାୟ 5 ଫୁଟ ଉଚ୍ଚର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି ।
ସେହିପରି ଖାରୀରୁ ମେଣ୍ଡା ରାସ୍ତାରେ ବି ପ୍ରାୟ 3 ଫୁଟ ଉଚ୍ଚର ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଫଳରେ ମେଣ୍ଡା ଅଞ୍ଚଳ ବି ତରଭା ସହରଠାରୁ ବିଚ୍ଛିନ୍ନ ହୋଇଯାଇଛି । ମଙ୍ଗଳବାର ସୋନପୁର ବିଧାୟକ ତଥା ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏନେଇ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ।