ସୁବର୍ଣ୍ଣପୁର: ଜିଲ୍ଲା ସଦର ତହସିଲ ପକ୍ଷରୁ ଶରଧାପାଲି ଛକରେ ଜବରଦଖଲ ଉଚ୍ଛେଦ କରାଯାଇଛି । ରାସ୍ତା ପ୍ରଶସ୍ତିକରଣ ପାଇଁ ସଦର ତହସିଲଦାର ନବୀନ କିଶୋର ପାଢୀ ସ୍ବୟଂ ଶରଧାପାଲି ଗାଁକୁ ଯାଇ ସରକାରୀ ଜମି ଜବରଦଖଲ କରି ରଖିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଛନ୍ତି । ସୁବର୍ଣ୍ଣପୁର ବିନିକା ରାଜ୍ୟ ରାଜପଥର ଶରଧାପାଲି ଛକରେ କିଛି ଜବରଦଖଲକାରୀ ସରକାରୀ ଜମି ଉପରେ ବିଭିନ୍ନ ପ୍ରକାରର ଦୋକାନ ବଜାର କରି ବ୍ୟବସାୟ କରୁଥିଲେ । ତେବେ ଜବରଦଖଲକାରୀଙ୍କ ପାଇଁ ଶରଧାପାଲି ରାସ୍ତା ସଙ୍କୁଚିତ ହୋଇ ଯାଇଥିଲା । ଫଳରେ ଗାଡି ମୋଟର ଯାତାୟାତରେ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ଗତ ମାର୍ଚ୍ଚ 13 ତାରିଖରେ ଏହି ଛକରେ ଗାଁର ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ତିନି ଜଣ ଶିଶୁଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ଗାଁ ଲୋକଙ୍କ ପକ୍ଷରୁ ରାସ୍ତା କଡ଼ର ଜବରଦଖଲ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପାଖରେ ଦାବି ଆପତ୍ତି କରି ଆସୁଥିଲେ । ଦୁର୍ଘଟଣା ଦିନ ହିଁ ଗାଁ ଲୋକେ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ପାଖରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଦାବି କରିଥିଲେ । ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା ।