ସୁବର୍ଣ୍ଣପୁର:ମୃତଦେହ ନେବାକୁ ମିଳିଲାନି ମହାପ୍ରୟାଣ ଗାଡି । ବୃଦ୍ଧାଙ୍କ ମରଶରୀରକୁ ସାଇକେଲରେ ବୋହିନେଲେ ସମ୍ପର୍କୀୟ । ସମସ୍ତଙ୍କୁ ବିଚଳିତ କରିବା ଭଳି ଏହି ଦୃଶ୍ୟ ସାମ୍ନାକୁ ଆସିଛି ଖୋଦ୍ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଜିଲ୍ଲା ସୁବର୍ଣ୍ଣପୁରରୁ । ମହାପ୍ରୟାଣ ଗାଡି ନମିଳିବାରୁ ବିନିକା ପ୍ରାଥମିକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରୁ ସାଇକେଲରେ ମୃତଦେହ ନିଆଯାଇଥିବା ଦେଖିବାକୁ ମିଳିଛି । ହସ୍ପିଟାଲରୁ ମୃତଦେହ ମାଗଣାରେ ନେବାକୁ ସରକାର ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଦେଖାଯିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ମୃତକ ହେଲେ ମେଘଲା ଗାଁର ରୁକ୍ମିଣୀ ସାହୁ । ଗତକାଲି ପ୍ରବଳ ଖରାରେ ବୁଲାବୁଲି କରିବା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କର ଅଂଶୁଘାତ ହୋଇଥିବା ଆଶଙ୍କା କରି ଦୂର ସମ୍ପର୍କୀୟ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଶରୀରରେ ଜଳୀୟ ଅଂଶ ଅତ୍ୟଧିକ କମିଯିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିଲା । କେହି ପରିବାର ଲୋକ ନଥିବାରୁ ମୃତ୍ୟୁ ପରେ ତାଙ୍କର ମରଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ହସ୍ପିଟାଲରେ ପଡି ରହିଥିଲା । ଚିକିତ୍ସା କରିବାକୁ ଆଣିଥିବା ବ୍ୟକ୍ତି ବି ଅନୁପସ୍ଥିତ ଥିଲେ । ଏ ସମ୍ପର୍କରେ ଖବର ପାଇ ଗାଁର ଶାନ୍ତୁନୁ ଗୁରୁ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କ ସହାୟତାରେ ମୃତଦେହ ଆଣିବା ବ୍ୟବସ୍ଥା କରିଥିଲେ ।
ଅଭିଯୋଗ ଅନୁସାରେ, ମହାପ୍ରୟାଣ ଗାଡି ବ୍ୟବସ୍ଥା କରିବା ପାଇଁ ସ୍ବେଚ୍ଛାସେବୀ ଓ ବୃଦ୍ଧାଙ୍କ ଦୂର ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତର ସନ୍ତୋଷ ବିଭାରଙ୍କୁ ଅନୁରୋଧ କରିଥିଲେ । ହେଲେ ଡାକ୍ତର ଅପେକ୍ଷା କରିବାକୁ କହି ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା କରିନଥିଲେ । କୌଣସି ଉପାୟ ନପାଇ ବାଧ୍ୟହୋଇ ସ୍ବେଚ୍ଛାସେବୀମାନେ ସାଇକେଲଟିଏ ଯୋଗାଡ କରିଥିଲେ ଏବଂ ସେଥିରେ ମରଶରୀରକୁ ବୋହି ନେଇଥିଲେ । ଏହି ସମୟର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।