ସୁବର୍ଣ୍ଣପୁର: ଆଜି ଦେବ ଦମ୍ପତିଙ୍କ ବିବାହ । ବର ବେଶ ଧରି ମାତା ପାର୍ବତୀଙ୍କ ଘରକୁ ଯିବେ ମହାଦେବ । ବିଳମ୍ବିତ ରାତିରେ ହେବ ବାହାଘର । ଏଥିପାଇଁ ଉଭୟ ବର ଓ କନ୍ୟାଘର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁବର୍ଣ୍ଣପୁର ସହର । ଆଜି ସନ୍ଧ୍ୟାରେ ବୈଦିକ ରିତିନୀତିରେ ଦେବ ଦମ୍ପତିଙ୍କ ବାହାଘର ସମ୍ପନ୍ନ ହେବାକୁ ଥିବା ବେଳେ ଏହା ପୂର୍ବର ନିର୍ବନ୍ଧ, ଦେବ ନିମନ୍ତ୍ରଣ ଓ ଅଳଙ୍କାର ଧାରଣ କାର୍ଯ୍ୟକ୍ରମ ଶେଷ ହୋଇଛି ।
ମନ୍ଦିରମାଳିନୀ ସହର ସୁବର୍ଣ୍ଣପୁର । ଏଠି ବାର ମାସରେ ତେର ଯାତ୍ରା ହେଉଥିଲେ ବି ଶୀତଳ ଷଷ୍ଠୀ ଯାତ୍ରାର ଟିକିଏ ଭିନ୍ନ ମହତ୍ୱ ରହିଛି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ୧୦୮ ଭରି ସ୍ୱର୍ଣ୍ଣ ନାଗ ପ୍ରତିମା ଓ ମହଣ ମହଣ ରୂପାରେ ତିଆରି ବିମାନ । ଦେବଦଳ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁ ବାବା ଚନ୍ଦ୍ରଶେଖରଙ୍କ ବରଯାତ୍ରୀ ଦଳରେ ସାମିଲ ହେବାର ପରମ୍ପରା ରହିଛି । ଏହି ସମୟରେ ଏକତ୍ର ବାବା ଚନ୍ଦ୍ରଶେଖରଙ୍କ ସମେତ ଅଷ୍ଟଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କୁ ଦର୍ଶନ କରିବାର ଶ୍ରଦ୍ଧାଳୁମାନେ ସୌଭାଗ୍ୟ ଅର୍ଜନ କରିଥାଆନ୍ତି । ଚଳିତବର୍ଷ ସହରର ରାୟଗୁରୁ ପଡ଼ାର ମନୋଜ ଓ ମହେଶ୍ୱତା ମିଶ୍ର ବରପିତା ମାତା ହୋଇଥିବାବେଳେ ଦେବ ଦମ୍ପତିଙ୍କ ପାଣି ଗ୍ରହଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନ୍ୟପଟେ ଏଭଳି ଏକ ସୌଭାଗ୍ୟ ପାଇ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ସନ୍ଧ୍ୟାରେ ବାବା ଚନ୍ଦ୍ରଶେଖର ବରଯାତ୍ରୀ ଧରି ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ବାହାରିବାର କାର୍ଯ୍ୟକ୍ରମ ରହିଛି । ବରଯାତ୍ରୀରେ ସହରର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହେବେ ।