ସୁବର୍ଣ୍ଣପୁର: ରାଜରାସ୍ତାକୁ ଓହ୍ଲାଇଲେ ରାଜ୍ୟ ଜମାକାରୀ ମିଳିତ ମଞ୍ଚ । ଜମାକାରୀଙ୍କୁ ଠକିବା ଅଭିଯୋଗରେ ଆନ୍ଦୋଳନ । ଏନେଇ ସୁବର୍ଣ୍ଣପୁର ଜିଲ୍ଲାର ହଜାର ହଜାର ଜମାକାରୀ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟ ଜମାକାରୀ ମିଳିତ ମଞ୍ଚର ସଭାନେତ୍ରୀ ଅନୁରାଧା ସୁବୁଦ୍ଧିଙ୍କ ନେତୃତ୍ୱରେ ଜମାକାରୀମାନେ ସହରର ପୁରୁଣା ଟାଉନ ହଲଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ସୂଚନା ମୁତାବକ, ଗତ 10 ବର୍ଷ ହେଲା ଜମାକାରୀମାନଙ୍କୁ ରାଜ୍ୟ ସରକାର ଠକି ଆସୁଛନ୍ତି । ଜମାକାରୀମାନେ ନିଜ ସଞ୍ଚିତ ଅର୍ଥକୁ ଅର୍ଥ କାରବାର କରୁଥିବା ବିଭିନ୍ନ କମ୍ପାନିରେ ଜମା କରିଥିଲେ । ରାଜ୍ୟ ସରକାରଙ୍କ ବିଧାୟକ, ସାଂସଦ, ବରିଷ୍ଠ ପ୍ରଶାସକମାନେ ଜମା କମ୍ପାନୀଗୁଡ଼ିକର ଶୁଭ ଉଦଘାଟନ କରିବା ସହିତ କମ୍ପାନୀଗୁଡିକ ସପକ୍ଷରେ ବିଜ୍ଞାପନ କରି ପ୍ରଚାର କରୁଥିଲେ । ଫଳରେ ନୀରିହ ଜନସାଧାରଣ ନିଜର ସଞ୍ଚିତ ଅର୍ଥର ଅଧିକ ସୁଧ ତଥା ଅର୍ଥ ଦ୍ବିଗୁଣିତ ହେବା ଆଶାରେ କମ୍ପାନିମାନଙ୍କରେ ଜମା କରିଥିଲେ । ହେଲେ କମ୍ପାନିଗୁଡିକ ଜମାକାରୀଙ୍କୁ ଭୂଆଁ ବୁଲାଇ ଜମାରାଶି ଆତ୍ମସାତ କରିଛନ୍ତି । ରାଜ୍ୟ ସରକାର କମ୍ପାନିଗୁଡିକର ସମ୍ପତ୍ତି ଜବତ କରିଥିଲେ ମଧ୍ୟ ସେହି ସଂପତ୍ତିକୁ ବିକ୍ରି କରି ଜମାକାରୀଙ୍କ ଜମାରାଶି ଏ ପର୍ଯ୍ୟନ୍ତ ଫେରେଇ ନ ଥିବା ଅଭିଯୋଗ ହୋଇଛି । ସେହିପରି ଅର୍ଥ କାରବାର କରୁଥିବା ଘରୋଇ କମ୍ପାନିଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ରାଜ୍ୟ ସରକାର ଅନେକବାର ଘୋଷଣା କରିଛନ୍ତି । ହେଲେ ଏଯାଏଁ ତହସିଲ କାର୍ଯ୍ୟାଳୟ ମାଧ୍ୟମରେ ଜମାକାରୀଙ୍କୁ ଚିହ୍ନଟ ବି କରି ପାରିନାହାନ୍ତି ।