ସୁବର୍ଣ୍ଣପୁର:ଜିଲ୍ଲାରେ ତିଆରି ହୋଇଥିବା ନୂତନ ଫରେଷ୍ଟ ପାର୍କର ଟିକସକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ଯାଏଁ ପାର୍କ ବ୍ୟବହାର କରିବା ପାଇଁ ଟିକସ ଆଦାୟ କରାଯାଉଛି । ସହରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଜମିରେ ପାର୍କ ନିର୍ମାଣ ହୋଇ ଥିବାରୁ ବାର୍ଷିକ ଛଅ ଲକ୍ଷ ଟଙ୍କା ସୁବର୍ଣ୍ଣମେରୁ ମନ୍ଦିରର ବିକାଶ ତଥା ଶ୍ରଦ୍ଧାଳୁଙ୍କ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରିବାକୁ ଅଦାଲତଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସହରବାସୀଙ୍କ ପାଖରୁ ପାର୍କ ବ୍ୟବହାର କରିବା ପାଇଁ ଅଧିକ ଟିକସ ଆଦାୟ କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି ।
ଏବେ ଶୀତ ଆସିଛି । ପାହାନ୍ତିଆରେ କାକରଭିଜା ପାର୍କରେ ଲୋକଙ୍କ ଭିଡ ଜମିବା ଆରମ୍ଭ ହୋଇଛି । ବ୍ୟାୟାମ ତଥା ମର୍ଣ୍ଣିଂ ଓ ଇଭିନିଂ ୱାକ ପାଇଁ ଲୋକେ ପାର୍କକୁ ଯାଉଛନ୍ତି । ହେଲେ ଆର୍ଥିକ ସ୍ବଚ୍ଛଳ ନ ଥିବା ଲୋକେ ପାର୍କ ଫି ଦେଇ ପାରୁ ନ ଥିବାରୁ ପାର୍କ ବ୍ୟବହାର କରିବାରୁ ବଞ୍ଚିତ ହେଉଛନ୍ତି । ପ୍ରତିଦିନ ପାର୍କ ଫି’ ଦେଇ ଲୋକେ ପାର୍କକୁ ଆସିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି । ଛୋଟ ଛୋଟ ପୁଅଝିଅଙ୍କ ଠାରୁ ଆରମ୍ଭ କରି କୁସ୍ତି କସରତରେ ଆଗ୍ରହ ରଖିଥିବା ଖେଳାଳୀ ମାନଙ୍କ ପାଇଁ ବି ଆବଶ୍ୟକ ବ୍ୟବସ୍ଥା କରାଯାଇ ଥିବାରୁ ମାସିକ ୟୁଜର୍ସ ଫି ଆଦାୟ କରିବା ପାଇଁ ପୌର ପରିଷଦ ପାଖରେ ସହରବାସୀ ଦାବି କରିଛନ୍ତି ।