ସୁବର୍ଣ୍ଣପୁର: ସହରରେ ପ୍ରାୟ 300 ରୁ ଅଧିକ ପରିବାର ଜାଗା ମିଶନ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ତଳିଆ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ 700 ପରିବାରକୁ ଜାଗା ମିଶନରେ ଅନ୍ତର୍ଭୁକ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି । ହେଲେ ଏବେ ବି ବିଭିନ୍ନ ବସ୍ତିରେ ବସବାସ କରୁଥିବା ଅନେକ ପରିବାର ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି ।
ଫଳରେ ବାସଗୃହ ଅବା ଜମିପଟ୍ଟା ନ ଥିବା ପରିବାରଗୁଡିକର ଛାତ୍ରଛାତ୍ରୀ ସ୍ଥାୟୀ ବାସସ୍ଥାନ ପ୍ରମାଣ ପତ୍ର ଦେଇ ପାରୁ ନାହାନ୍ତି । ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଛାତ୍ରଛାତ୍ରୀଙ୍କୁ । ସେହିପରି ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହିସବୁ ପରିବାର ଆର୍ଥିକ ଅଭାବ ଯୋଗୁଁ ବ୍ୟକ୍ତିଗତ ଭାବେ ନା ସହରାଞ୍ଚଳରେ ଜାଗା କିଣି ପାରୁଛନ୍ତି ନା ଘର ଖଣ୍ଡିଏ ତିଆରି କରି ପାରୁଛନ୍ତି । ସହରର ରାଜସ୍ବ ବିଭାଗରେ ଥିବା ଅନେକ ଜମିରେ ଲୋକେ ଜବରଦଖଲ କରି ରହି ଆସୁଛନ୍ତି । ଫଳରେ ପ୍ରଶାସନିକ କାର୍ଯ୍ୟରେ ଆସୁଥିବା ସେହି ଜାଗାଗୁଡିକୁ ପ୍ରଶାସନ ଖାଲି କରୁ ଥିବାବେଳେ ସେମାନଙ୍କୁ କିନ୍ତୁ ଥଇଥାନ କରିବାକୁ ଭୁଲି ଯାଉଥିବା ଅଭିଯୋଗ ହେଉଛି । ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଜାଗା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଦାବି ହେଉଛି ।