ଓଡିଶା

odisha

ETV Bharat / state

ଶ୍ରୀହୀନ ସୁବର୍ଣ୍ଣପୁର ଶିଶୁ ଉଦ୍ୟାନ, ପୁନଃଉଦ୍ଧାର ଦାବି - child

ଶ୍ରୀହୀନ ହୋଇ ପଡିଛି ସୁବର୍ଣ୍ଣପୁର ଶିଶୁ ଉଦ୍ୟାନ । ଦିନେ ଶିଶୁଙ୍କ ଖେଳକୁଦ ଓ ପାଟିତୁଣ୍ଡରେ ଚଳଚଞ୍ଚଳ ହୋଇ ପଡୁଥିବା ଏହି ଉଦ୍ୟାନ ଏବେ ଖାଁ ଖାଁ ଲାଗୁଛି । ବାହାରେ ମୁଢି ,ବାଦାମ ,ଚଣା ,ପାଂପଡ ଆଦି ବିକି ପେଟ ପୋଷୁଥିବା ବୁଲା ବିକାଳିଙ୍କ ବି ହାତ ଖାଲି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର

By

Published : Jun 4, 2019, 5:07 PM IST

ସୁବର୍ଣ୍ଣପୁର: ଶିଶୁ ଉଦ୍ୟାନରେ ଶୁଣାଯାଉନି କୋଳାହଳ । ଦୋଳି , ସ୍ଲାଇଡ ସବୁରେ କଳଙ୍କି ଲାଗିଗଲାଣି । ଚେୟାର ସବୁ ଫାଟି ଆଁ କରିଛି । ପାଦ ପକାଇଲେ ଖାଲି କଣ୍ଟା ଆଉ ଘାସବୁଦା । ଗଛ ସବୁ ଶୁଖି ଥୁଣ୍ଟା ହୋଇଗଲାଣି । ଏଭଳି ବିଭିନ୍ନ ସମସ୍ୟା ଭିତରେ ଧ୍ବଂସାଭିମୁଖୀ ହେବାକୁ ବସିଛି ସୁବର୍ଣ୍ଣପୁର ଏହି ଶିଶୁ ଉଦ୍ୟାନ । ପୌର ପରିଷଦ ପାଖରେ ବାରମ୍ବାର ଦାବି ଓ ଅଭିଯୋଗ ପରେ ବି ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସୁବର୍ଣ୍ଣପୁର

ମା ସୁରେଶ୍ବରୀ ମନ୍ଦିର ପାଖରେ ତିଆରି ହୋଇଥିବା ଏହି ଶିଶୁ ଉଦ୍ୟାନର ରକ୍ଷଣାବେକ୍ଷଣରେ ଦେଖାଦେଇଛି ଘୋର ଅବହେଳା । ଅପରାହ୍ନରେ ଶିଶୁଙ୍କ ମନୋରଞ୍ଜନ ପାଇଁ ରହିଥିବା ଏହି ଉଦ୍ୟାନର ବିକାଶ ଦିଗରେ କେହି ସଚେତନ ନ ଥିବା ଅଭିଯୋଗ ହେଉଛି ।

2009 ମସିହାରେ ଏହି ଶିଶୁ ଉଦ୍ୟାନଟି ଆରମ୍ଭ କରାଯାଇଥିଲା । ଏଥିପାଇଁ 75 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଆରମ୍ଭରୁ ଏହି ଶିଶୁ ଉଦ୍ୟାନକୁ ଯିବାକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା । ହେଲେ ପୌର ପରିଷଦ କର୍ତ୍ତୃପକ୍ଷ ଏହି ଶିଶୁ ଉଦ୍ୟାନର ରକ୍ଷଣା ବେକ୍ଷଣ ପାଇଁ ବୟସ୍କଙ୍କଠାରୁ ଦୁଇ ଟଙ୍କା ଓ ଶିଶୁଙ୍କ ପିଛା ଟଙ୍କାଏ ଆଦାୟ କଲେ । ପରବର୍ତ୍ତୀ ସମୟରେ ଏହି ଶିଶୁ ଉଦ୍ୟାନ ଘରୋଇ ଠିକାଦାରକୁ ହସ୍ତାନ୍ତର କରାଗଲା। ଫଳରେ ସେମାନେ ବୟସ୍କଙ୍କଠୁ 5 ଟଙ୍କା ଓ ଶିଶୁଙ୍କ ପାଖରୁ 3 ଟଙ୍କା ଆଦାୟ କରୁଥିଲେ । ହେଲେ ଏଠାରେ ଶିଶୁଙ୍କ ଖେଳକୁଦ ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନାହଁ । ଯାହାବି ଖେଳସାମଗ୍ରୀ ଦୋଳି ଆଦି ରହିଛି ସବୁକିଛି ଭାଙ୍ଗିରୁଜି ବିପଦସଂକୁଳ ଅବସ୍ଥାରେ ରହିଛି । ଅପରପକ୍ଷରେ ଏହି ଉଦ୍ୟାନର ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ଉଦ୍ୟାନ ଦାୟିତ୍ବରେ ଥିବା ପୌର ପରିଷଦର ବରିଷ୍ଠ କିରାଣୀ କହିଛନ୍ତି ।

ତେବେ ସହର ମଝିରେ ରହିଥିବା ଏହି ଉଦ୍ୟାନଟି ଶିଶୁଙ୍କ ମନୋରଞ୍ଜନର ମାଧ୍ୟମ ରହିଥିଲା । ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ଏହା ଏକ ଉତ୍ସ ସ୍ବରୁପ କାମ କରେ । ହେଲେ ଏବେ ଏହା ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ । ସୁସ୍ଥ ଶିଶୁ ସମାଜ ଗଠନ ପାଇଁ ଉଭୟ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details