ସୁବର୍ଣ୍ଣପୁର:ଆୟକର ଚଢ଼ାଉ ପରେ କୋଟି କୋଟି ଟଙ୍କା ଜବତ ହେବା ଘଟଣାକୁ ନେଇ ବିଜେପିର ପ୍ରତିବାଦ । ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ସଦର ସୋନପୁର ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ସୋମବାର ସନ୍ଧ୍ୟାରେ ସହରର ବିଜୁ ପଟ୍ଟନାୟକ ଛକରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସଂଗଠିତ ହୋଇ ବିଜେଡି ସରକାର, ସ୍ୱାସ୍ଥ୍ୟମନ୍ତ୍ରୀ ତଥା ପୂର୍ବତନ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଥିବା ବେଳେ ବିଜେଡି ଦେଶୀ ମଦର କଳାବଜାରକୁ ପ୍ରୋତ୍ସାହନ ଯୋଗାଇ ଦେଇ ବ୍ୟାପକ ପରିମାଣରେ କଳା ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ କରିଛନ୍ତି । ବଲାଙ୍ଗୀର ସହରରେ କଂଗ୍ରେସ ରାଜ୍ୟସଭା ସାଂସଦ ମଦଭାଟିରେ ପ୍ରାୟ 200 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆୟକର ବିଭାଗ ଜବତ କରିଛି । ଏହି ଟଙ୍କା ସଂଗ୍ରହରେ ମଦର କଳା କାରବାର ହୋଇଛି ବୋଲି ଅଭିଯୋଗ କରିଛନ୍ତି । କେବଳ ସୁବର୍ଣ୍ଣପୁର ନୁହେଁ ପଶ୍ଚିମାଞ୍ଚଳରେ ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ମଧ୍ୟ ବ୍ୟାପକ ପରିମାଣର ବେଆଇନ ଦେଶୀ ମଦ କାରବାର ସାଙ୍ଗକୁ କଳା ଟଙ୍କା ସଂଗ୍ରହରେ ନିରଞ୍ଜନ ପୂଜାରୀଙ୍କ ପ୍ରଛନ୍ନ ହାତ ରହିଥିବା ବିଜେପି ଅଭିଯୋଗ କରିଛି ।