ଓଡିଶା

odisha

ETV Bharat / state

ଇଟିଭି ଭାରତର ଅନୁସନ୍ଧାନ: ବିକାଶ ନାଁରେ ଅର୍ଥ ହେରଫେର, 3 କର୍ମଚାରୀ ନିଲମ୍ବିତ

ବିକାଶ ନାଁରେ ଅର୍ଥ ଲୁଟ ଅଭିଯୋଗରେ ସୋନପୁର ମହାବିଦ୍ୟାଳୟର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତନ୍ମଧ୍ୟରୁ ଜଣେ କର୍ମଚାରୀଙ୍କ ନିଲମ୍ବନକୁ ଉଚ୍ଚ ଶିକ୍ଷାବିଭାଗ ଅନୁମୋଦନ କରିଥିବାବେଳେ ଅନ୍ୟ 2 ଜଣଙ୍କ ନିଲମ୍ବନକୁ ଅନୁମୋଦନ କରାଯାଇନାହିଁ ।

ଫଟୋ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 11, 2019, 3:26 PM IST

ସୁବର୍ଣ୍ଣପୁର: ବିକାଶ ନାଁରେ ଅର୍ଥ ଲୁଟ ଅଭିଯୋଗରେ ମହାବିଦ୍ୟାଳୟର ତିନି ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ମହାବିଦ୍ୟାଳୟର ପରିଚାଳନା ପରିଷଦ ତଥା ଉପଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି ।

ସୂଚନାନୁସାରେ, ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ନାଁରେ ଅର୍ଥ ଲୁଟ ହେଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଟିଚର୍‌ କାଉନସିଲ ଏହାର ଆଭ୍ୟନ୍ତରୀଣ ତଦନ୍ତ କରିଥିଲେ । ତଦନ୍ତ ବେଳେ ବ୍ୟାପକ ଅର୍ଥକୁ ମିଥ୍ୟା ବିଲ ଦେଇ ବାଟମାରଣା ହୋଇଥିବା ଜଣାପଡିଥିଲା । ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା କାଗଜପତ୍ର 'ଇଟିଭି ଭାରତ' ଟିମ୍‌ ହାତରେ ଲାଗିଥିଲା । ଯାହାର ତଦନ୍ତ ପରେ ଅର୍ଥ ହେରଫେର ହୋଇଥିବା ନେଇ ପ୍ରମାଣିତ ହୋଇଥିଲା ।

ଅଗଷ୍ଟ 2 ତାରିଖରେ ଏନେଇ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ହୋଇଥିଲା । ଯଦ୍ବାରା ସବୁ ଜାଣି ଚୁପ୍‌ ବସିପଡିଥିବା ମହାବିଦ୍ୟାଳୟର ପରିଚାଳନା ପରିଷଦ କାର୍ଯ୍ୟାନୁଷ୍ଠାନ ନେବାରେ ତତ୍ପର ହୋଇଉଠିଛି । ଅର୍ଥ ହେରଫେରରେ ସମ୍ପୃକ୍ତ ଥିବା ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା, ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ର ଓ ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ସୁବର୍ଣ୍ଣପୁର

ତେବେ ଆକାଉଣ୍ଟାଣ୍ଟ ପ୍ରମୋଦ କୁମାର ବାଘଙ୍କ ନିଲମ୍ବନକୁ ଉଚ୍ଚ ଶିକ୍ଷା ବିଭାଗ ଅନୁମୋଦନ କରିଥିବାବେଳେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନା ଓ ରସାୟନ ବିଭାଗ ଡେମୋନଷ୍ଟ୍ରେଟର ରବି ନାରାୟଣ ମିଶ୍ରଙ୍କ ନିଲମ୍ବନ ଆଦେଶକୁ ବର୍ତ୍ତମାନ ସୁଦ୍ଧା ଅନୁମୋଦନ କରାଯାଇନାହିଁ ବୋଲ ପରିଚାଳନା ପରିଷଦର ସଭାପତି ତଥା ଉପଜିଲ୍ଲାପାଳ କହିଛନ୍ତି ।

ଅପରପକ୍ଷରେ ନିଲମ୍ବନ ଆଦେଶ ଉପରେ ପୂର୍ବତନ ଅଧ୍ୟକ୍ଷା ପ୍ରିୟଲତା ଜେନାଙ୍କୁ ମିଛରେ ଫସାଯାଉଛି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details