ସୁବର୍ଣ୍ଣପୁର:ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡର ଚିକିତ୍ସାଳୟର ଭିତ୍ତିଭୂମିର ବିକାଶ ପାଇଁ ଅଣ୍ଟାଭିଡିଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ବର୍ଷ ତମାମ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ପାଇଁ ଚର୍ଚ୍ଚାରେ ରହୁଥିବା ଚିକିତ୍ସାଳୟରେ 50 ଶଯ୍ୟା ବିଶିଷ୍ଟ ଆଇସିୟୁ କୋଠା ନିର୍ମାଣ ହେବା ନେଇ ଘୋଷଣା କରାଯାଇଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିଜେପି ନେତା ବଳଦେବ ବେଦବାଗ । ସରକାରଙ୍କ କଥା ଯେପରି ପ୍ରତିଶୃତିରେ ନ ରୁହେ ସେନେଇ ଦୃଷ୍ଟି ଦେବାକୁ ସେ କହିଛନ୍ତି ।
ଚିକିତ୍ସାଳୟର ବିକାଶ ପାଇଁ ତିନି ମହଲା ଓ ଲିପ୍ଟ ବ୍ୟବସ୍ଥା ଥିବା ଏହି କୋଠା ପାଇଁ 16 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି । 22640 ବର୍ଗ ଫୁଟ ପରିମିତ ଜମିରେ ଆଇସିୟୁ କୋଠାରେ 25 ଶଯ୍ୟା ଶିଶୁମାନଙ୍କ ପାଇଁ ଏବଂ 25 ଶଯ୍ୟା ବୟସ୍କ ମାନଙ୍କ ପାଇଁ ସଂରକ୍ଷିତ କରାଯିବ । ତେବେ ଆବଶ୍ୟକ ଭିତ୍ତିଭୂମି ଓ ସୁବିଧା ଅଭାବରୁ ଜନସାଧାରଣ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅବା ବୁର୍ଲା ଚିକିତ୍ସାଳୟ ଉପରେ ନିର୍ଭର କରି ଆସୁଛନ୍ତି ।