ସମ୍ବଲପୁର: ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲା ପରେ ଶେଷରେ ନିଜ ଗାଁ ରାସ୍ତାକୁ ନିଜେ ମରାମତି କରିଛନ୍ତି ଗ୍ରାମବାସୀ । ନିଜସ୍ବ ଉଦ୍ୟମରେ ଏମିତି କିଛି କାମ କରି ଦେଖାଇଛନ୍ତି ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର 12ର ମହମ୍ମଦପୁର, ଗଡ଼ମୁଣ୍ଡା ଓ ଡେଂଗୀମନଚାର ଗାଁ ଲୋକେ ।
ନିଜ ଗାଁ ପାଇଁ ରାସ୍ତା ମରାମତି କରିଛନ୍ତି ସମ୍ବଲପୁର ହୀରାକୁଦ ଅଞ୍ଚଳର ତିନୋଟି ଗ୍ରାମର ଗ୍ରାମବାସୀ । ଦୀର୍ଘଦିନ ହେଲା ହୀରାକୁଦ ଅଞ୍ଚଳର ଗଡ଼ମୁଣ୍ଡାରୁ ହୀରାକୁଦକୁ ସଂଯୋଗ କରିଥିବା ଅଢେଇ କିମି ରାସ୍ତାର ଅବସ୍ଥା ଦୟନୀୟ ହୋଇ ପଡ଼ିଥିଲା । ଏଥିପାଇଁ ସ୍ଥାନୀୟ ଲୋକେ ହୀରାକୁଦ ଯିବାପାଇଁ ଅଧିକ 12 କିମି ବୁଲିକି ଯାଆସ କରୁଥିଲେ । ଏପରିକି ବର୍ଷା ଦିନେ ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା 3 ଟି ଗାଁର ଲୋକେ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇନଥିଲା ।