ସମ୍ବଲପୁର:ସମ୍ବଲପୁର ଗସ୍ତରେ ଛତିଶଗଡର ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଶନିବାର ସକାଳେ ଉଭୟ ସମ୍ବଲପୁରରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ l ଏହାପରେ ଉଭୟ ସହର ନିକଟରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ରଣଭୂମି କୁହାଯାଉଥିବା କୁଦୋପାଲି ଗାଁକୁ ଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଶାଲ ଜାଳି ସ୍ମୃତିଚାରଣ କରିଥିଲେ । ଏହାପରେ ଅନୁଷ୍ଠିତ ଏକ ସଭାରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ଇଂରେଜମାନଙ୍କ ସହ ଲଢେଇ କରି ଜୀବନ ହାରିଥିବା 57 ଜଣ ଶହୀଦମାନଙ୍କ ବଳିଦାନକୁ ମନେ ପକାଇଥିଲେ ।
1857 ମସିହା ଡିସେମ୍ବର 30 ତାରିଖରେ କୁଦୋପାଲି ଗାଁରେ ବୀର ସୁରେନ୍ଦ୍ର ସାଏଙ୍କ ସାନ ଭାଇ ଛବିଳ ସାଏ ଓ ତାଙ୍କର 56 ଜଣ ସହଯୋଗୀ ଇଂରେଜମାନଙ୍କ ସହ ସଂଗ୍ରାମ କରି ଶହୀଦ ହୋଇଯାଇଥିଲେ l ସୁରେନ୍ଦ୍ର ସାଏଙ୍କ ଭାଇ ଛବିଳ ସାଏଙ୍କ ସହ 53 ଜଣ ଇଂରେଜ ଗୁଳିରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପରେ ଆଉ 4 ଜଣଙ୍କୁ ଫାଶୀ ଦିଆଯାଇଥିଲା l ତେବେ ସ୍ୱାଧୀନତା ପାଇଁ କୁଦୋପାଲି ମାଟିର 57 ଜଣ ବିପ୍ଲବୀ ନିଜର ପ୍ରାଣବଳୀ ଦେବା ସତ୍ତ୍ବେ ଏହି ଘଟଣା ଭାରତ ଇତିହାସରେ ବର୍ଣ୍ଣିତ ନାହିଁ l
ତେବେ ସ୍ଥାନୀୟ ଲୋକ, ଛବିଳ ସାଏ ସ୍ମୃତି କମିଟି, ପଶ୍ଚିମାଞ୍ଚଳ ଏକତା ମଞ୍ଚ ଓ କେତେକ ସ୍ବେଚ୍ଛାସେବୀ ସଂଗଠନ ଡିସେମ୍ବର 30 ତାରିଖରେ ଏହି ଦିନକୁ ବଳିଦାନ ଦିବସ ଭାବେ ପାଳନ କରିଥାନ୍ତି l ଚଳିତ ବର୍ଷ ଏଠାରେ ଛବିଳ ସାଏ ସ୍ମୃତି କମିଟି ପକ୍ଷରୁ 166ତମ ବଳିଦାନ ଦିବସ ପାଳନ କରାଯାଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୁଷଣ ହରିଚନ୍ଦନ ଯୋଗ ଦେଇଥିଲେ l ଏହି ଅବସରରେରେ ରାଜ୍ୟପାଳ ଶହୀଦମାନଙ୍କ ବଳିଦାନ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହେବା ଉଚିତ୍ ବୋଲି କହିଥିଲେ l