ସମ୍ବଲପୁର:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାର ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମସାର)ରେ ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା । ଯୁଫୋରିଆ ଉତ୍ସବ ପାଳନ ସମୟରେ 2 ମେଡିକାଲ ଛାତ୍ର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏନେଇ ଭିମସାର ଡିନ୍ ଜୟଶ୍ରୀ ଡୋରାଙ୍କ ଅଭିଯୋଗ ଆଧାରରେ ବୁର୍ଲା ଥାନାରେ ଏତଲା କ୍ରମେ ମାମଲା ରୁଜ୍ଜୁ ହୋଇଛି । ମାମଲା ରୁଜୁ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଗତକାଲି(ମଙ୍ଗଳବାର) ସକାଳେ ଯୁଫୋରିଆ ଉତ୍ସବ ପାଳନ ସମୟରେ ଭିମ୍ସାର ଓ ଏମକେସିଜି ମେଡିକାଲ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । 2 ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏହି ଘଟଣା ଘଟିବା ପାରେ ବୁର୍ଲା ଭିମସାର ମେଡିକାଲ କଲେଜର ନିର୍ଦ୍ଦେଶକ ବର୍ଷା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ବସିଥିଲା । ଏହି ବୈଠକ ପରେ ଆଜି (ବୁଧବାର) ସକାଳୁ ମେଡିକାଲ କଲେଜ ଡିନ୍ ଜୟଶ୍ରୀ ଡୋରାଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । କର୍ତ୍ତୃପକ୍ଷଙ୍କ ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମେଡିକାଲ କଲେଜ ନିର୍ଦ୍ଦେଶକ ବର୍ଷା ଟୁଡୁ କହିଛନ୍ତି ଯେ, "ଏହି ଘଟଣାଟି ମେଡିକାଲ କଲେଜ ରୋଡ଼ରେ ହୋଇଥିବାରୁ ଏଥିରେ କିଛି ବାହାରିଆ ଅଣ ଛାତ୍ରଙ୍କ ସମ୍ପୃକ୍ତି ଥିବାର ସନ୍ଦେହ କରାଯାଉଛି । ତେଣୁ ପୋଲିସକୁ ସେହି ଦିଗରେ ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଏମକେସିଜି ମେଡିକାଲ ଛାତ୍ର ଓ ଆମ ଛାତ୍ରଙ୍କ ମଧ୍ୟ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।''