ସମ୍ବଲପୁର: ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ଆହ୍ବାନକ୍ରମେ ସମ୍ବଲପୁରରେ ଆଦିବାସୀ ମେଳି । ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଆଦିବାସୀ ଏକାଠି ହୋଇଥିଲେ । ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ପଶ୍ଚିମ ଓଡ଼ିଶାର ଆଦିବାସୀ ଏକାଠି ହୋଇ ଏକ ବିଶାଳ ଶୋଭାଯାତ୍ରା କରିବା ସହ ଆଦିବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଏକ ବୈଠକରେ ଆଲୋଚନା କରିଛନ୍ତି ।
ସ୍ବାଧୀନତା ସଂଗ୍ରାମୀ ବୀର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଅବସରରେ ବୁଧବାର ସମ୍ବଲପୁରରେ ଆଦିବାସୀଙ୍କର ଏକ ମହାମେଳି ଅନୁଷ୍ଠିତ ହୋଇଛି । ଗତ ମଙ୍ଗଳବାର ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଥିବାବେଳେ ଏହି ପରିପ୍ରେକ୍ଷୀରେ ବୁଧବାର ପଶ୍ଚିମ ଓଡିଶା ଆଦିବାସୀ ମହାସଂଘ ପକ୍ଷରୁ ଏହି ମହାମେଳି ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଅଇଁଠାପାଲିସ୍ଥିତ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଆଦିବାସୀ ପରମ୍ପରା ମୁତାବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ତାଙ୍କର ସ୍ମୃତିଚାରଣ କରାଯାଇଥିଲା । ଏହା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ହଜାର ହଜାର ସଂଖ୍ୟାରେ ଆଦିବାସୀ ଅଇଁଠାପାଲି ଛକରୁ ଏକ ବିଶାଳ ଶୋଭଯାତ୍ରାରେ ବାହାରି ସହର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିବା ସହ ନେଲସନ ମଣ୍ଡେଲା ଛକ ପର୍ଯ୍ୟନ୍ତ ଆସିଥିଲେ ।