ସମ୍ବଲପୁର : ସମ୍ବଲପୁର ବିର୍ଶାମୁଣ୍ଡା ମଇଦାନରେ ସମ୍ବଲପୁର ଲୋକମହୋତ୍ସବ ଜାରି ରହିଛି । ଆଜି ଏହି ସମ୍ବଲପୁର ଲୋକମହୋତ୍ସବର ତୃତୀୟ ସନ୍ଧ୍ୟା । ତୃତୀୟ ସନ୍ଧ୍ୟାକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିଲେ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ। ମୁଖ୍ୟତଃ ମହାରାଷ୍ଟ୍ର ଲାବନୀ ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା। ପ୍ରଥମ ୨ଦିନ ଅପେକ୍ଷା ତୃତୀୟ ଦିନରେ ଦର୍ଶକଙ୍କ ପ୍ରବଳ ଗହଳି ହୋଇଥିଲା ।
ତୃତୀୟ ସନ୍ଧ୍ୟାରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଓ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଉଭୟ ପଦ୍ମଶ୍ରୀଙ୍କୁ ସମ୍ବଲପୁର ଜିଲ୍ଲା ମହୋତ୍ସବ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, SMC କମିଶନର ପ୍ରଦୀପ କୁମାର ସାହୁ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ଆରମ୍ଭ ହୋଇଥିଲା ଲୋକ ସଙ୍ଗୀତର କାର୍ଯ୍ୟକ୍ରମ। ବିଶିଷ୍ଟ କଥାଶିଳ୍ପୀ ନବ ମହତ୍ତମଙ୍କ "ଆଗରେ ବଳିଆ" ଗୀତରୁ ଆରମ୍ଭ ହୋଇଥିଲା ସଙ୍ଗୀତ କାର୍ଯ୍ୟକ୍ରମ । ଏହାପରେ କଣ୍ଠଶିଳ୍ପୀ ରେଶମା ରାଣୀ ଦାସଙ୍କ "ଦୂତି ଚାଲି ଆସେ" ଗୀତ ଉପସ୍ଥିତ ଅଗଣିତ ଦର୍ଶକଙ୍କ ମନ ମୋହିଥିଲା।
ପରେ ଗୋଟିଏ ପରେ ଗୋଟିଏ ଲୋକଗୀତ ପରିବେଷିତ ହୋଇଥିଲା। ଲୋକ ଗୀତର କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ଲୋକନୃତ୍ୟର କାର୍ଯ୍ୟକ୍ରମ । ଲୋକ ନୃତ୍ୟ କାର୍ଯ୍ୟକ୍ରମ ମଧ୍ୟ ବେଶ ଆକର୍ଷଣୀୟ ଥିଲା । ସମ୍ବଲପୁରର "ଉକିଆ" ଅନୁଷ୍ଠାନର ସମ୍ବଲପୁରୀ ନୃତ୍ୟ, ନକଟିଦେଉଳର କଳାକାରଙ୍କ "ପଥୁରିଆ ଦଣ୍ଡ ନୃତ୍ୟ" ଦର୍ଶକଙ୍କୁ ବିମୋହିତ କରିଥିଲା ।