ସମ୍ବଲପୁର: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଜି(ଶନିବାର)ଠାରୁ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଆରମ୍ଭ ହୋଇଛି । ଆଗାମୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲାରେ ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲାର ସହରାଞ୍ଚଳରେ ସଟଡାଉନ ଜାରି ହେବ । ଏହି କ୍ରମରେ ଆଜି ଜିଲ୍ଲାରେ ସହରାଞ୍ଚଳ ଗୁଡ଼ିକରେ ସଟ ଡାଉନ ରହିଥିବାବେଳେ ରବିବାର ମଧ୍ୟ ସଟଡାଉନ ଜାରି ରହିବ ।
ସହରରେ ସଟଡାଉନ ପ୍ରଭାବରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି । ରାସ୍ତାଘାଟ ଶୁନଶାନ ଥିବାବେଳେ କାଁ ଭାଁ ଗାଡି ମୋଟର ଯିବା ଆସିବା କରୁଛି । କେବଳ ଅତ୍ୟାବଶ୍ୟକ ସେବାକୁ ଏହି ସଟଡାଉନ କଟକଣାରୁ ବାଦ ଦିଆଯାଇଛି । ସମ୍ବଲପୁର ସହରର ପ୍ରତ୍ୟେକ ଛକ ଓ ଗଳିରେ ପୋଲିସ ମୁତୟନ ହୋଇଛନ୍ତି । ମାସ୍କ ପିନ୍ଧି ନଥିବା ଲୋକଙ୍କୁ ଫାଇନ କରାଯାଉଛି । ଶନିବାର ସମ୍ବଲପୁର ଜିଲ୍ଲାର ସହର, ହୀରାକୁଦ, ବୁର୍ଲା, କୁଚିଣ୍ଡା ଓ ରେଢ଼ାଖୋଲ ସମ୍ପୂର୍ଣ୍ଣ ସଟଡାଉନ ରହିଛି, ଯାହା ରବିବାର ମଧ୍ୟ ବଳବତ୍ତର ରହିବ ।