ସମ୍ବଲପୁର: ବେଆଇନ କଫ ସିରଫ ବ୍ୟବସାୟର ବୁଢିଆଣୀ ଜାଲରେ ସମ୍ବଲପୁର ସହର । କଫ୍ ସିରଫ୍ ନିଶା ଜାଲରେ ଛନ୍ଦି ହେଉଛନ୍ତି ଯୁବପିିଢି । କଫ୍ ସିରଫ୍ ନିଶା ବେପାରୀଙ୍କ ଭୂସ୍ବର୍ଗ ସାଜିଛି ସମ୍ବଲପୁର ସହର। ବାରମ୍ବାର ପୋଲିସ ପ୍ରଶାସନ ତରଫରୁ ଚଢାଉ ହେଉଥିଲେ ବି କମୁନି ଏହି ନିଶା କାରବାର। ପୋଲିସ ପ୍ରଶାସନର ନାକତଳେ ବେଧଡକରେ ଚାଲିଛି ଚୋରା କଫ ସିରଫ କାରବାର । ଏହାଦ୍ୱାରା ଯୁବପିିଢି ଓ ନାବାଳକଙ୍କ ମଧ୍ୟରେ ବଢୁଛି ଅପରାଧ ପ୍ରବଣତା । ତେବେ କାହିଁକି ଯୁବପିଢି ଏହି ନିଶା ପ୍ରତି ଆକୃଷ୍ଟ ହେଉଛନ୍ତି ଆସନ୍ତୁ ଦେଖିବା ରିପୋର୍ଟ।
ଏହି ବ୍ୟବସାୟର ମୁଖ୍ୟ ଗ୍ରାହକ ହେଉଛନ୍ତି ଯୁବପିଢି ଓ ନାବାଳକବର୍ଗ। ବେକାରୀ ସମସ୍ୟା ତଥା କୁସଙ୍ଗତରେ ପଡି ମୁଖ୍ୟତଃ ଯୁବପିଢ଼ି ଏହି ନିଶାକୁ ଆପଣେଇ ନେଉଛନ୍ତି । ଏହାପରେ ଧୀରେ ଧୀରେ ଏହି ନିଶାର କବଳରୁ ଯୁବପିିଢି ଆଉ ମୁକୁଳି ନ ପାରି ଅପରାଧ କରିବାକୁ ପଛାଉ ନାହାଁନ୍ତି । ଏହି କାରଣରୁ ସମ୍ବଲପୁରରେ ଡକାୟତି, ଦାଦାବଟି, ଚୋରି, ଦୁଷ୍କର୍ମ ଆଦି ଅପରାଧ ଘଟୁଛି । ତେବେ ଏହି ନିଶା ପ୍ରତି ଯୁବପିଢି ଆକୃଷ୍ଟ ହେବାର ଅନେକ ଗୁଡିଏ ଦିଗ ରହିଥିବାର ଡାକ୍ତର କୁହନ୍ତି । ମୁଖ୍ୟତଃ ଏହା ଯେ କୌଣସି ସ୍ଥାନରେ ସହଜ ଉପାୟରେ ଅତି କମ୍ ଖର୍ଚ୍ଚରେ ଉପଲବ୍ଧ ହେଉଛି । ମଦ ପରି ଏହି ନିଶାକୁ କିଣିବାକୁ ଦୋକାନ କାଉଣ୍ଟରକୁ ଯିବାକୁ ପଡୁନି । ଫୋନ୍ କଲେ ବେପାରୀମାନେ ଯେକୌଣସି ସ୍ଥାନକୁ ଏହା ପହଞ୍ଚାଇ ଦେଇ ଯାଉଛନ୍ତି ।