ସମ୍ବଲପୁର:ଭିକ୍ଷାବୃତ୍ତିରେ କଟୁଛି ଶୈଶବ । ହାତରେ ଖାତା କଲମ ବଦଳରେ ସ୍ଥାନ ପାଇଛି ଭିକ ଥାଳି । ସ୍କୁଲ ଯିବା ବଦଳରେ ଘର ଘର ବୁଲି ଭିକ ମାଗୁଛନ୍ତି କୁନି କୁନି ପିଲା । ଯାଯାବର ବାପମାଆଙ୍କ ପାଖରେ ସମ୍ବଳ ଏବଂ ସ୍କୁଲରେ ଆଡମିଶନ ପାଇଁ ଆବଶ୍ୟକୀୟ ଜନ୍ମ ପ୍ରମାଣପତ୍ର ଅଭାବ ଯୋଗୁଁ ପାଠ ନ ପଢି ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି ଶବର ଶିଶୁ । ସମ୍ବଲପୁର ଜିଲ୍ଲା ଜମେନକରିରା ବ୍ଲକର ଦଶଘରିଆରୁ ଏହି ଘଟଣା ସାମ୍ନାକୁ ଆସିଛି । ଏପରି ଭାବେ ଏଠାରେ ଫେଲ୍ ମାରିଛି ସରକାରଙ୍କ ସର୍ବ ଶିକ୍ଷା ଅଭିଯାନ । ଏଠାରେ ରହୁଥିବା ଶବର ସମ୍ପ୍ରଦାୟର ଛୋଟ ଛୋଟ ପିଲା ସ୍କୁଲ ନ ଯାଇ ଭିକ୍ଷାବୃତ୍ତି କରୁଛନ୍ତି ।
ସମ୍ବଲପୁର ଦଶଘରିଆ ଠାରେ ପାଖାପାଖି 20 ଶବର ପରିବାର ରହୁଛନ୍ତି । ସେମାନେ ମୁଖ୍ୟତଃ ଯାଯାବର ପରି ଜୀବନ ଯାପନ କରନ୍ତି । ହେଲେ ଗତ 15 ବର୍ଷ ହେଲା ଦଶଘରିଆ ଠାରେ ରହିଆସୁଛନ୍ତି ସମସ୍ତେ । ଜୀବିକା କହିଲେ ଜଙ୍ଗଲରୁ ସଂଗ୍ରହ ମହୁଲ ଫୁଲ । ବଡକଥା ହେଉଛି, ଏହି ଶବର ସମ୍ପ୍ରଦାୟର ଲୋକଙ୍କ ପାଖରେ ଭୋଟର କାର୍ଡ ଓ ଆଧାର କାର୍ଡ ରହିଛି । ଏପରିକି ନିର୍ବାଚନ ସମୟରେ ସଭିଁଏ ମତଦାନରେ ସାମଲି ବି ହୁଅନ୍ତି । ଏସବୁ ପରେ ମଧ୍ୟ ନା ଏମାନଙ୍କ ପାଖରେ କୌଣସି ସରକାରୀ ଯୋଜନା ପହଞ୍ଚୁଛି ନାଁ ଜୀବନ ଶୈଳୀରେ ଉନ୍ନତି ଆସୁଛି । ବିଶେଷକରି ଅଭାବ ଓ ଅସଚେତନତା ଯୋଗୁଁ ଶବର ପିଲାମାନେ ସ୍କୁଲ ମାଟି ମାଡି ପାରୁନାହାଁନ୍ତି । ଫଳରେ ପେଟ ପୋଷିବା ପାଇଁ ଭିକ୍ଷାବୃତ୍ତି କରୁଛନ୍ତି ।