ସମ୍ବଲପୁର: ବର୍ତ୍ତମାନ ରାଜ୍ୟରେ ବଳଦେବ ସାହୁ ଆଣ୍ଡ ସନ୍ସ କମ୍ପାନୀର ମଦ ବ୍ୟବସାୟ ଉପରେ ସମ୍ବଲପୁର ଓ ବଲାଙ୍ଗୀରରେ ଆୟକର ବିଭାଗର ରେଡ ଜାରି ରହିଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣା ଉପରେ ଟ୍ବିଟ କରି କଡା ସନ୍ଦେଶ ଦେଇଥିଲେ l ଆଜି ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁରା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି । ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ମାଲଗୁଣ୍ଡ ଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ଧର୍ମେନ୍ଦ୍ର କଡା ସମାଲୋଚନା କରିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି, ‘‘ଆୟକର ବିଭାଗର ଚଢାଉ ପରେ ଏତେ ପରିମାଣର ଟଙ୍କା ଜବତ ହେବା ରାଜ୍ୟରେ ଆଗରୁ କେବେ ହୋଇ ନଥିଲା l ଗଣମାଧ୍ୟମର ଆକଳନ ହିସାବରେ ଏହି ଟଙ୍କାର ପରିମାଣ 500 କୋଟି ପର୍ଯ୍ୟନ୍ତ ଯାଇପାରେ l ଏହି ଟଙ୍କା କାହାର? ଟଙ୍କା କେମିତି ଉପାର୍ଜନ ହେଲା? ରାଜ୍ୟ ଅବକାରୀ ବିଭାଗର ଏହା ସହ ସମ୍ପର୍କ ଅଛି ନା ନାହିଁ ସେନେଇ ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର l ଏହି ବ୍ୟବସାୟରେ ଯେଉଁ ବ୍ୟକ୍ତିଙ୍କ ନା ଆସୁଛି ସେହି ବ୍ୟକ୍ତିଙ୍କ ଦଳ ଜାତୀୟ ସ୍ତରରେ ସ୍ବଛତାର କୁମ୍ଭୀର କାନ୍ଦଣା କାନ୍ଦୁଛି l ଏନେଇ ସେହି ବ୍ୟକ୍ତି ଜଣଙ୍କ କୌଣସି ଉତ୍ତର ଦେଇ ପାରୁ ନାହାଁନ୍ତି l ଅନ୍ୟପଟେ ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାରୀ ମାନଙ୍କୁ କେବେ ହେଲେ ଛଡା ଯିବନି ଓ ଗରିବଙ୍କ ପଇସା ଗରିବ ଙ୍କୁ ଫେରାଯିବ ବୋଲି କହି ସାରିଛନ୍ତି l ସବୁ କିଛି କଡାଗଣ୍ଡାରେ ହିସାବ କରାଯିବ l ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନରେ କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯାଉନାହିଁ l ତେଣୁ ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର l ଏହି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି l ଅନୁସନ୍ଧାନ ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ l’’
ଅଧିକ ପଢନ୍ତୁ- ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ: 176ଟି ଟଙ୍କା ବ୍ୟାଗ ଜବତ, ମାତ୍ର 46 କୋଟି ହୋଇଛି ଗଣତି
ସେହିପରି ଧର୍ମେନ୍ଦ୍ର କହିଛନ୍ତି ରାଜ୍ୟର ମହିଳା ମାନଙ୍କ ମଧ୍ୟରେ ଦେଶୀ ମଦ ବିରୋଧରେ ଜନ ଆକ୍ରୋଶ ଥିବା ବେଳେ ଜଣେ ମଦ ବ୍ୟବସାୟୀଙ୍କ ପାଖରେ ଏତେ ପରିମାଣର ଟଙ୍କା ଜବତ ହେବା ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି l