ସମ୍ବଲପୁର: ଚଳିତ ବର୍ଷର ରବି ଋତୁ ଧାନ ସଂଗ୍ରହ ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ DLPC ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 9 ତାରିଖରୁ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଚାଷୀଙ୍କ ଧାନ ବିକ୍ରି ପାଇଁ 30 ଗୋଟି ପେକ୍ସ ଓ ଲ୍ୟାମ୍ପ, 10 ଟି ସ୍ବୟଂ ସହାୟକ ଗୋଷ୍ଠୀ, 66 ଟି PPC (ମାର୍କେଟ ୟାର୍ଡ) ର ବ୍ୟବସ୍ଥା ହୋଇଛି । ଏଥିପାଇଁ 46 ଜଣ ମିଲର ନିୟୋଜିତ ହୋଇଛନ୍ତି । ଚାଷୀଙ୍କୁ କ୍ବିଣ୍ଟାଲ ପିଛା 1940 ଟଙ୍କା ଓ ଉନ୍ନତ ମାନର ଧାନ ପାଇଁ କ୍ବିଣ୍ଟାଲ ପିଛା 1960 ଟଙ୍କାର ମୂଲ୍ୟ ଦେବା ପାଇଁ ନିର୍ଦ୍ଧାରିତ ହୋଇଛି । ଏଥର 14 ହଜାର 759 ଜଣ ଚାଷୀ ପଞ୍ଜିକରଣ କରିଥିବା ସୂଚନା ମିଳିଛି ।