ସମ୍ବଲପୁର: ପୁଣି ଆସିଛି, ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ସାମାଜିକ ଓ ଆଧ୍ୟାତ୍ମିକ ଦର୍ଶନର ବାହାକ ଏହି ଗଣପର୍ବ ପାଇଁ ଏବେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ଆଉ ଏଥିରୁ ବାଦ ପଡିନି ଐତିହାସିକ ସମ୍ବଲପୁର ସହର । ନୂଆଁଖାଇକୁ ଆଉ ମାତ୍ର 2 ଦିନ ବାକି ରହିଥିବା ବେଳେ ଏବେ ସମସ୍ତେ କିଣାକିଣିରେ ବ୍ୟସ୍ତ ।
ନୂଆଁଖାଇ ପାଇଁ ଏବେଠୁ ଉତ୍ସବ ମୁଖର ସମ୍ବଲପୁର । ସହରକୁ ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଗୋଲବଜାର ମାର୍କେଟରେ ଏହା ପ୍ରତିଫଳିତ ହେଉଛି । ନୂଆଁଖାଇ ପାଇଁ ସମସ୍ତେ କିଣାକିଣିରେ ବ୍ୟସ୍ତ । କିଏ ନୂଆ ଚାଉଳ,ଧାନ ଆଉ ଚୂଡ଼ା କିଣିବାରେ ବ୍ୟସ୍ତ ତ କିଏ ପୂଜା ସାମଗ୍ରୀ ଓ ଫଳମୂଳ କିଣିବାରେ ବ୍ୟସ୍ତ । ଅନ୍ୟପଟେ ନୂଆଁଖାଇରେ ପରିବାରର ସମସ୍ତ ସଦସ୍ୟ ନୂଆ କପଡା ପିନ୍ଧିବାର ପରମ୍ପରା ଥିବାରୁ ଏବେ ଡ୍ରେସ ଓ ଶାଢ଼ୀ ଦୋକାନରେ ଜମିଛି ଭିଡ ।