ସମ୍ବଲପୁର: ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଗାଁ ମୁଣ୍ଡକୁ ଖଟରେ ବୁହା ହୋଇ ଆସିଲେ ଗୁରୁତର ରୋଗୀ । ଏଭଳି ଘଟଣା ସମ୍ବଲପୁର ଜିଲ୍ଲାରେ ବାରମ୍ବାର ଘଟୁଥିବା ବେଳେ ପୁଣିଥରେ ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଆଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳନ କରୁଛି ଅମୃତ ମହୋତ୍ସବ । ହେଲେ ଆଜି ବି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଏକ ବଣ ପହାଡ ଘେରା ଗାଁକୁ ଭଲ ରାସ୍ତା ଖଣ୍ଡିଏ ପହଞ୍ଚି ପାରିନାହିଁ ।
ଯାହାର ଫଳ ସ୍ବରୂପ ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଜଣେ ରୋଗୀଙ୍କୁ ଖଟିଆରେ ବୁହା ହେବାର ଦୃଶ୍ୟ ସାମ୍ନାକୁ ଆସିଛି । ଫୋନ ପାଇବା ପରେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ରାସ୍ତା ଖରାପ କାରଣରୁ ରୋଗୀଙ୍କ ପର୍ଯ୍ୟନ୍ତ ଯାଇପାରିଲାନି । ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଲରିଆପାଲି ପାଞ୍ଚୟତ ଅଧୀନ ନୂଆଡ଼ିହି, ମୁଣ୍ଡାପଡା ଗାଁର ୪୦ ବର୍ଷୀୟ ଉମେଶ ମୁଣ୍ଡାଙ୍କର ଦେହ ଅସୁସ୍ଥ ହେବାରୁ କୁଚିଣ୍ଡା ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ଗାଁ ଲୋକେ ।