ସମ୍ବଲପୁର: ଆରମ୍ଭ ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା l ଗତ ଶନିବାର ରାତିରେ ନନ୍ଦପଡ଼ାର ପତର ପେଣ୍ଡି ପରମ୍ପରା ସମ୍ପନ୍ନ ହୋଇଥିବା ବେଳେ ସୋମବାର ରାତିରେ ସମ୍ବଲପୁରର ଅନ୍ୟ ପ୍ରମୁଖ ଯାତ୍ରା କମିଟି ମୁଦିପଡ଼ାର ଜାଗେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବଡ଼ବାଜାର ଶୀତଳେଶ୍ୱର ବାବା ଓ କୁମ୍ଭାରପଡ଼ା ସହ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟିର ପତର ପେଣ୍ଡି ନୀତି ସମ୍ପନ୍ନ ହୋଇଛି l
ସୋମବାର ରାତି ପ୍ରାୟ 9 ଟାରେ ସମ୍ବଲପୁରର ଅନ୍ୟତମ ପ୍ରମୁଖ ଶୀତଳ ଷଷ୍ଠୀ ଯାତ୍ରା କମିଟି ମୁଦିପଡ଼ା ଜାଗେଶ୍ୱର ବାବାଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରି ଥିଲେ ବରପିତା ମଧୁସୂଦନ ନେଗୀ, ସପ୍ତଋଷି ଓ ଅଞ୍ଚଳବାସୀ l ପରାମ୍ପରିକ ବାଜା, ଶଙ୍ଖ,ଘଣ୍ଟର ତାଳେ ତାଳେ ମୁଦିପଡ଼ା ଜାଗେଶ୍ୱର ବାବା ମନ୍ଦିରରୁ ଶୋଭାଯାତ୍ରା ବାହାରି ଥିଲା l ଦିବ୍ୟବିମାନରେ ସପ୍ତଋଷି ଓ ବର ପିତା ଅରୁଢ଼ ହୋଇ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ମୀ ଟକିଜ ଛକ ନିକଟସ୍ଥର କନ୍ୟା ପିତାମାତା ଶିଲା ମନୋଜ କୁମାର ଓ ଶିଲା ନର୍ମଦାଙ୍କ ବାସ ଭବନକୁ ବରପକ୍ଷ ପହଞ୍ଚି ଥିଲେ l ସେଠାରେ କନ୍ୟାପକ୍ଷରୁ ପାରମ୍ପରିକ ରୀତିନୀତି ଅନୁସାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଘର ଭିତରକୁ ପାଛୋଟି ନିଆ ଯାଇଥିଲା l
ପତର ପେଣ୍ଡି ନୀତି-ଏନେଇ ପୂଜକ କହିଛନ୍ତି, "କନ୍ୟାଘରେ ପହଞ୍ଚିବା ପରେ ଏହାପରେ ବରପକ୍ଷଙ୍କୁ ସେମାନଙ୍କ ଆଗମନର ଉଦ୍ଦେଶ୍ୟ ବିଷୟରେ ପଚାରିଥାନ୍ତି l ଏହାପରେ ସପ୍ତଋଷି କହିଥିଲେ ଯେ, ଏହି ଘରେ ସର୍ବଗୁଣା ସମ୍ପର୍ଣ୍ଣା ଜଣେ କନ୍ୟା ଥିବାର ସୂଚନା ପାଇ ମୁଦିପଡ଼ା ଜାଗେଶ୍ୱର ବାବାଙ୍କ ବିବାହ ପ୍ରସ୍ତାବ ପାଇଁ ଆସିଛନ୍ତି l ପରେ କନ୍ୟାପକ୍ଷ ବର କଣ କରନ୍ତି ବୋଲି ପଚାରନ୍ତି l ଏହାର ଉତ୍ତରରେ ସପ୍ତଋଷି ମହାଦେବ ସ୍ମଶାନରେ ବାସ କରନ୍ତି ବୋଲି କହିବା ପରେ ପ୍ରଥମେ କନ୍ୟାପକ୍ଷ ବିବାହ ପ୍ରସ୍ତାବରେ ଅରାଜି ହୋଇ କନ୍ୟା ଦେବେନି କୁହନ୍ତି l ପରେ ଯେତେବେଳେ ସପ୍ତଋଷି ମହାଦେବଙ୍କ ଗୁଣଗାନ କରିବା ସହ ତାଙ୍କର ସ୍ତୋତ୍ର ପାଠ କରନ୍ତି କନ୍ୟା ପିତାମାତା ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ଯାଆନ୍ତି l ସ୍ଥାନୀୟ ପାରମ୍ପରିକ ରୀତିନୀତି ଓ ଲୋକାଚାର ଅନୁସାରେ ପୂଜାର୍ଚ୍ଚନା କରିବା ପରେ ବରପକ୍ଷ 72ଟି ସରଗି ପତ୍ର (ଶାଳପତ୍ର) ଏକା ବିଡା କନ୍ୟାପକ୍ଷଙ୍କୁ ପ୍ରଦାନ କରି ବିବାହ ସ୍ଥିରୀକୃତ କରିଥିଲେ l ଏହି ପରମ୍ପରାକୁ ପତର ପେଣ୍ଡି ବା ନିର୍ବନ୍ଧ କୁହାଯାଏ l"