ଓଡିଶା

odisha

ETV Bharat / state

Pakhala Dibasa: ତାଲବ ଗାଁ ଯୁବକଙ୍କ ନିଆରା ପଖାଳ ଦିବସ

ସମ୍ବଲପୁର ସହର ନିକଟସ୍ଥ ତାଲବ ଗାଁ ନିକଟରେ ଥିବା ପାହାଡ଼ ଉପରେ ଥିବା ଏକ ଖେଳ ପଡିଆ ନିକଟରେ କିଛି ଯୁବକ ପଖାଳ ଦିବସ ପାଳନ କରିଛନ୍ତି । ଯୁବକମାନଙ୍କ କହିବା କଥା ହେଲା ତାଙ୍କ ଗାଁର ଏହି ପାହାଡ଼ର 100 ଫୁଟ ଉପରେ ଏକ ପ୍ରାକୃତିକ ସମତଳ ଥିବା ପଡିଆ ରହିଥିଲା । ତେବେ ସେଠାକୁ ଯିବା ଆସିବା ପାଇଁ କୌଣସି ବାଟ ନଥିଲା । ଏବେ ବହୁ କଷ୍ଟରେ ସ୍ଥାନୀୟ ଯୁବକ ମାନେ ନିଜ ଉଦ୍ୟମରେ ପାହାଡ଼ ଉପରକୁ ରାସ୍ତା ତିଆରି କରିଛନ୍ତି । ଅଧିକ ପଢନ୍ତୁ

Pakhala Dibasa
Pakhala Dibasa

By

Published : Mar 20, 2023, 10:00 PM IST

ତାଲବ ଗାଁ ଯୁବକଙ୍କ ନିଆରା ପଖାଳ ଦିବସ

ସମ୍ବଲପୁର: ଆଜି ଥିଲା ବିଶ୍ୱ ପଖାଳ ଦିବସ । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ପଖାଳ ଦିବସ ପାଳନ କରାଯାଇଥିଲା । ସମ୍ବଲପୁରରେ ବି ନିଆରା ଭାବେ ପଖାଳ ଦିବସ ପାଳନ ହୋଇଛି । ଜିଲ୍ଲାର ତାଲବ ଗାଁର ପାହାଡ ଉପରେ ଥିବା ଏକ ଫୁଟବଲ ପଡିଆ ପାଖରେ ପଖାଳ ଦିବସ ପାଳନ କରିଛନ୍ତି ସ୍ଥାନୀୟ ଯୁବକ ମାନେ। ଏହି ପଖାଳ ଦିବସ ପାଇଁ ସଜ ପଖାଳ ସହ 11 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ସ୍ଥାନୀୟ ଯୁବକ ମାନେ । ଆଉ ଏହି ପଖାଳ ଭୋଜିରେ ଗାଁର ପ୍ରତ୍ୟେକ ଘରର ଯୁବକ ସାମିଲ ହୋଇଥିଲେ।

ପଖାଳ ଓଡ଼ିଆଙ୍କ ପରିଚୟ । ସେ ପୂର୍ବ ଓଡିଶା ହେଉକି ପଶ୍ଚିମ, ଉପାନ୍ତ ହେଉକି ଉପକୂଳ ସମସ୍ତଙ୍କ ପସନ୍ଦ ପଖାଳ। ଏହାକୁ ସମସ୍ତେ ଜାଣିଛନ୍ତି । ତେବେ ଆଧୁନିକ ଯୁଗରେ କେତେକ ଲୋକ ପାଶ୍ଚାତ୍ୟ ସଂସ୍କୃତିର ବଶବର୍ତ୍ତୀ ହୋଇ ଏହାକୁ ଭୁଲି ଯାଉଥିବା ବେଳେ ବିଗତ କେତେବର୍ଷ ହେଲା ପଖାଳ ଦିବସ ପାଳନ କରାଯାଇ ଏହାର ଗୁରୁତ୍ୱ କଣ ସେନେଇ ଲୋକ ଙ୍କୁ ଏକ ପ୍ରକାର ସଚେତନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁର ସହର ନିକଟସ୍ଥ ତାଲବ ଗାଁ ନିକଟରେ ଥିବା ପାହାଡ଼ ଉପରେ ଥିବା ଏକ ଖେଳ ପଡିଆ ନିକଟରେ କିଛି ଯୁବକ ପଖାଳ ଦିବସ ପାଳନ କରିଛନ୍ତି। ଯୁବକ ମାନଙ୍କ କହିବା କଥା ହେଲା ତାଙ୍କ ଗାଁ ର ଏହି ପାହାଡ଼ର 100 ଫୁଟ ଉପରେ ଏକ ପ୍ରାକୃତିକ ସମତଳ ଥିବା ପଡିଆ ରହିଥିଲା। ତେବେ ସେଠାକୁ ଯିବା ଆସିବା ପାଇଁ କୌଣସି ବାଟ ନଥିଲା। ଏବେ ବହୁ କଷ୍ଟରେ ସ୍ଥାନୀୟ ଯୁବକ ମାନେ ନିଜ ଉଦ୍ୟମରେ ପାହାଡ଼ ଉପରକୁ ରାସ୍ତା ତିଆରି କରିଛନ୍ତି। ଏହା ପରେ ଉପରେ ଏକ ଫୁଟବଲ ଖେଳ ପଡିଆ ମଧ୍ୟ ତିଆରି ହୋଇଛି। ତେବେ ଏହି ସ୍ଥାନ ଉପରେ ସ୍ଥାନୀୟ ଜନ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ର ନଜର କିପରି ପଡିବ। କିପରି ଏହି ସ୍ଥାନର ଉନ୍ନତିକରଣ ହେବ ସେଥିପାଇଁ ଚଳିତ ବର୍ଷ ସ୍ଥାନୀୟ ଯୁବକ ମାନେ ପଖାଳ ଦିବସ ପାଳନ କରି ସମ୍ବଲପୁର ସହରର କେତେକ ସଚେତନ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ଏପରିକି ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ମଧ୍ୟ ବିଧିବଦ୍ଧ ଭାବେ ନିମନ୍ତ୍ରଣ କରାଯାଇଥିଲା।

ଗଛ ତଳେ ପ୍ରକୃତିକ ପରିବେଶ ଭିତରେ ରୋଷେଇ ହୋଇଥିଲା ସଜ ପଖାଳ। ଆଉ ଏହା ସହ 11 ପ୍ରକାରର ବ୍ୟଞ୍ଜନ ଓ ଭଜା ତିଆରି କରିଥିଲେ ସ୍ଥାନୀୟ ଯୁବକ। ମାଛ ଭଜା, ଚୁନା ମାଛ ଭଜା, ଆଳୁ ଚଣା ପିଆଜ ଭଜା, ଭାଜି ଶାଗ, ଆଳୁ ଭରତା, ବାଇଗଣ ଭରତା, ସଜନା ଛୁଇଁ ଭଜା, ସଲାଡ଼, ଲିଆ ବଡି, ପାମ୍ପଡ଼ ପରି 11 ପ୍ରକାର ଆଇଟମ ପ୍ରସ୍ତୁତ କରିଥିଲେ ସ୍ଥାନୀୟ ଯୁବକ। ମୁଖ୍ୟତଃ ଏହି ସ୍ଥାନ ରେ ପଖାଳ ଦିବସ ପାଳନ କରିବାର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଏହି ଅଞ୍ଚଳକୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା। ଏହି ସ୍ଥାନକୁ କିପରି ଭଲ ରାସ୍ତା ତିଆରି ହେବ ଓ ଏହି ସ୍ଥାନର ଫୁଟବଲ ପଡ଼ିଆର କିପରି ଉନ୍ନତିକରଣ ହେବ ସେନେଇ ସ୍ଥାନୀୟ ଯୁବକ ମାନେ ପଖାଳ କୁ ମାଧ୍ୟମ କରିଥିଲେ। ଆଗାମୀ ଦିନରେ ଏହି ସ୍ଥାନରେ ପଖାଳ ଦିବସକୁ ଆହୁରି ଭଲ ଭାବେ ପାଳନ କରିବେ ବୋଲି ସ୍ଥାନୀୟ ଯୁବକ କହିଛନ୍ତି। ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପାନ୍ଥ ନିବାସ ଠାରେ ପଖାଳ ଦିବସ ର ଆୟୋଜନ ହୋଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details