ସମ୍ବଲପୁର: ଗଞ୍ଜେଇ ପରେ ଏବେ ଅଫିମ ଚାଷର ପେଣ୍ଠସ୍ଥଳୀ ପାଲଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କେତେକ ଅଞ୍ଚଳ । ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଗତକାଲି ରେଢ଼ାଖୋଲ ଥାନା ଅନ୍ତର୍ଗତ ନାକଟିଦେଉଳ ବ୍ଲକର ଗୋପାଳପୁର ଗାଁରେ ପ୍ରାୟ 40 ଡ଼ିସିମିଲ ଜମିରେ ବେଆଇନ ଭାବେ ହେଉଥିବା ଅଫିମ ଚାଷ ଠାବ କରିଛି । ଏଥିସହ ୧୦ ହଜାର ଅଫିମ ଗଛ ନଷ୍ଟ କରିବା ସହ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି l
ତେବେ ପୂର୍ବରୁ ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳର କେତେକ ଜଙ୍ଗଲ ତଥା ଉପାନ୍ତ ଅଞ୍ଚଳରେ ବେଧଡକ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ଗତ 2014 ପରେ ପରେ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏହା ଉପରେ ରୋକ ଲାଗିଥିଲା l ହେଲେ ବର୍ତ୍ତମାନ ଏହି ଅଞ୍ଚଳରେ ଅଫିମ ଚାଷ ହେଉଥିବାର ଘଟଣା ଲୋକ ଲୋଚନକୁ ଆସିବା ପରେ ଉଭୟ ପୋଲିସ ଓ ଜିଲ୍ଲା ଅବକାରୀ ବିଭାଗର ନିଦ ହଜିଯାଇଛି ।
ଘଞ୍ଚ ଜଙ୍ଗଲ ଭିତରେ ନିଛାଟିଆ ସ୍ଥାନରେ ପ୍ରାୟ 40 ଡ଼ିସିମିଲ ଜମିରେ ହେଉଥିଲା ଅଫିମ ଚାଷ । ଏହାର ସୂଚନା ପାଇ ଜିଲ୍ଲା ଅବକାରୀ ବିଭାଗ ଓ ରେଢ଼ାଖୋଲ ପୋଲିସର ଟିମ ମିଳିତ ଭାବେ ଏହି ଅଞ୍ଚଳରେ ଚଢ଼ାଉ କରି ପ୍ରାୟ 10 ହଜାର ଗଛକୁ ନଷ୍ଟ କରିଛି । ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ପ୍ରାୟ 70 ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଅଧିକ୍ଷକ ଅଶୋକ ସେଠ । ଏଥିସହ ଚଢ଼ାଉ ସମୟରେ 3 ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପ୍ରାଥମିକ ତଦନ୍ତ ଜାରି ରଖାଯାଇଛି ।