ସମ୍ବଲପୁର: ଜିଲ୍ଲାରେ ରାଜ୍ୟ ମହିଳା କମିଶନର କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ଗତକାଲି(ଶୁକ୍ରବାର) ଅନୁଷ୍ଠିତ ହୋଇଥିବା ଏହି କୋର୍ଟରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ବିଭିନ୍ନ ବିବାଦ ଜନିତ ଅଭିଯୋଗର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା । ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ରାଜ୍ୟ ମହିଳା କମିଶନଙ୍କ ଠାରେ ହୋଇଥିବା ଏହି ଭଳି ଅଭିଯୋଗ ନେଇ ଉଭୟ ପକ୍ଷକୁ ଡକାଯାଇ ସମାଧାନ ପାଇଁ ଚେଷ୍ଟା କରାଯାଇଛି ।
ଏହି କ୍ୟାମ୍ପ କୋର୍ଟରେ 68ଟି ମାମଲା ସ୍ଥାନ ପାଇଥିବା ବେଳେ ଉଭୟ ମହିଳା ଓ ପୁରୁଷ କିପରି ସମ୍ମାନର ସହ ସମାଜରେ ବଞ୍ଚିପାରିବେ ସେନେଇ ଆଲୋଚନା ହୋଇଥିବା ମହିଳା କମିଶନ ଅଧ୍ୟକ୍ଷା ଡ଼ ମିନତୀ ବେହେରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମହିଳା କମିଶନର ପ୍ରମୁଖ ସଦସ୍ୟ ଜଲିନା ପ୍ରିୟଦର୍ଶିନୀ ଓ ସ୍ନେହାଞ୍ଜଳି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । କ୍ୟାମ୍ପ କୋର୍ଟ ପୂର୍ବରୁ ଅଧ୍ୟକ୍ଷା ନିଜ ଟିମ ସହ ମହିଳା ଜେଲ ପରିଦର୍ଶନ କରିବା ସହ ମହିଳା କଏଦୀଙ୍କ ବିଭିନ୍ନ ସୁବିଧା ଅସୁବିଧା ପଟାରି ବୁଝିଥିଲେ । ଏହା ସହ ଟାଉନ ଥାନା ଓ ଧନୁପାଲି ଥାନାର ଶିଶୁ ଓ ମହିଳା ଡେସ୍କକୁ ଅଚାନକ ପରିଦର୍ଶନ କରି ସେଠାରେ ପରିଚାଳନା ବ୍ୟବସ୍ଥାର ତଦାରଖ କରିଥିଲେ ।