ସମ୍ବଲପୁର:ଗାଁରେ ଆତଙ୍କ ମଚାଇଛି କିଡନୀ ରୋଗ । ରୋଗରେ ଛଟପଟ ହୋଇ ଜଣକ ପରେ ଜଣଙ୍କ ଜୀବନ ଯାଉଛି । ବିଗତ ୧୫ ବର୍ଷ ଭିତରେ ୪୦ ଜଣଙ୍କ ମୃତ୍ୟୁ ହେଲାଣି । ଏବେ ବି ଅନେକ ଲୋକ ରୋଗଶଯ୍ୟାରେ ପଡି ଚିକିତ୍ସିତ ହେଉଛନ୍ତି । ସମ୍ବଲପୁର ଜିଲ୍ଲା ଯୁଜୁମୁରା ବ୍ଲକ ଗୌରଗୋଠ ଗ୍ରାମରେ ଏହି କିଡନୀ ରୋଗ ଆତଙ୍କ ଦେଖାଯାଇଛି । ଏଠାରେ ୩ ବର୍ଷ ଭିତରେ ୧୫ ଜଣଙ୍କ କିଡ଼ନୀ ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏପରିକି କେତେକ ପରିବାର ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଥିବା ଲୋକେ କହିଛନ୍ତି । କିଛି ଦିନ ତଳେ ଗ୍ରାମର ସୁରେଖା ଭୋଇ ନାମକ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ପୁରା ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥିତି ଏଭଳି ଯେ, ଲୋକ ଜୀବନ ବଞ୍ଚାଇବା ପାଇଁ ଗାଁ ଛାଡି ପଳାଉଛନ୍ତି ।
କିଡନୀ ରୋଗ ଗୌରଗୋଠ ଗ୍ରାମବାସୀଙ୍କ ନିଦ ହଜାଇଛି । ଦୀର୍ଘ ୧୫ ବର୍ଷ ହେଲାଣି ଏହି ରୋଗ ବ୍ୟାପୁଛି । ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ, ଗାଁର ସୁରେଖା ଭୋଇ, ସୁରେନ ଭୋଇ, ବିମଳା ଭୋଇ, ରଜନୀ ଭୋଇ, ଲାଲା ଭୋଇ, ସୁପକେଶୀ ବିଶି ସହ ଅନେକ ଲୋକ କିଡ଼ନୀ ରୋଗରେ ପ୍ରାଣ ହରାଇଛନ୍ତି । ନିରଞ୍ଜନ ଭୋଇଙ୍କ ପରିବାର ପୁରା ପୁରି ନିଶ୍ଚିହ୍ନ ହୋଇ ଯାଇଥିବା ଗାଁ ଲୋକେ କହିଛନ୍ତି । ସେହିପରି ଅନ୍ତର୍ଯ୍ୟାମୀ ଭୋଇ, ସନତ ଭୋଇ ଓ ଧନପତି ଭୋଇ ରୋଗ ଭୟରେ ଗାଁ ଛାଡି ଚାଲି ଯାଇଛନ୍ତି । ରୋଗ କବଳରେ ପୁରା ଗାଁ ଥିବାବେଳେ କେଉଁ କାରଣରୁ ଏହି ରୋଗ ହେଉଛି ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, ତଥାପି ଗାଁର ପାଣି ଯୋଗୁଁ କିଡନୀ ରୋଗ ହେଉଥିବା ସନ୍ଦେହ କରାଯାଉଛି ।